ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଖାଦ୍ୟଶସ୍ୟ, ଗରିବ କଲ୍ୟାଣ ଅନ୍ନ ଯୋଜନା ମହଲତ ଆଉ ୪ ମାସ ବଢ଼ିଲା

ନୂଆଦିଲ୍ଲୀ : ଦେଶର ୮୦ କୋଟି ନାଗରିକଙ୍କୁ ମାଗଣାରେ ଚାଉଳ, ଗହମ ଓ ଡାଲି ଯୋଗାଇବା ଲାଗି ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମୟ ସୀମାକୁ ଆଉ ୪ ମାସ ବୃଦ୍ଧି କରାଯାଇଛି। ଏହି ଯୋଜନାର ହିତାଧିକାରୀମାନଙ୍କୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ‌ଯୋଗାଇ ଦିଆଯିବ। ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। ଏହି ଯୋଜନାର ଅବଧିକୁ ଆଉ ୮ ମାସ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିବେଦନ କରି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଏହି ଯୋଜନାରେ ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ମିଳୁଛି।

ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ସରକାର ୫୩,୩୪୪.୫୨ ‌କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପର୍ଯ୍ୟାୟରେ ୧୬୩ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଯୋଗାଇଦିଆଯିବ। ବର୍ତ୍ତମାନ ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ପଞ୍ଚମ ପର୍ଯ୍ୟାୟ ଖାଦ୍ୟଶସ୍ୟ ଯୋଗାଣ ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ମାସକୁ ମାଗଣାରେ ୫ କେଜି ଖାଦ୍ୟଶସ୍ୟ ମାଗଣାରେ ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଛି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ୨୦୨୦ ଏପ୍ରିଲ୍‌ରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ୨୦୨୦ର ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତ, ଦ୍ବିତରୀୟ ପର୍ଯ୍ୟାୟ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ଚଳିତ ବର୍ଷ ମହାମାରୀର ଦ୍ବିତୀୟ ଲହର ଦେଖାଦେବା ପରେ ମେ’ରୁ ଜୁନ୍ ପର୍ଯ୍ୟନ୍ତ ଏହି ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ସେହି ସମୟ ସୀମାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ସମୟ ସୀମାକୁ ବାରମ୍ବାର ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନ ସେବକର ପରିଚୟ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଯୋଜନାର ସମୟ ସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୁଧବାର ଦିନ କ୍ୟାବିନେଟ୍ କମିଟି ପକ୍ଷରୁ ଜାତୀୟ ଆପ୍ରେଣ୍ଟିସ୍‌ ପ୍ରଶିକ୍ଷଣ ଯୋଜନା (ଏନ୍‌ଏଟିଏସ୍‌)କୁ ଆଗାମ ୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ୩ ହଜାର ୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଗତ ପାଞ୍ଚ ବର୍ଷ ତୁଳନାରେ ଏଥର ସାଢ଼େ ଚାରି ଗୁଣା ଅଧିକ ବ୍ୟୟ କରାଯିବ। ଏହି ପ୍ରଶିକ୍ଷଣ ଯୋଜନାରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ବ୍ୟତୀତ ମାନବ, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହା ଦ୍ବାରା ଆଗାମୀ ୫ ବର୍ଷରେ ୭ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ରୋଜଗାର ମାଧ୍ୟମ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କ୍ୟାବିନେଟ୍ କମିଟି ପକ୍ଷରୁ ଓ-ସ୍ମାର୍ଟ ସ୍କିମ୍‌ର ଅବଧିକୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରଖିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଯୋଜନାରେ ୨୧୭୭ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ଆକ୍ରସ୍‌ ଯୋଜନାର ସମୟ ସୀମାକୁ ମଧ୍ୟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଥିପାଇଁ ୨୧୩୫ କୋଟି ଟଙ୍କା ବ୍ୟୟ କରାଯିବ।

ସମ୍ବନ୍ଧିତ ଖବର