ଗରିବ ମହିଳା ଖାଉଛନ୍ତି କମ୍ ଖାଦ୍ୟ, ଜୀବିକା ହରାଇ ଅନେକ ବେକାର

ଘରେ କାମ ଚାପ ବଢ଼ିଛି, ସାମାଜିକ ବ୍ୟବସ୍ଥା ପ୍ରତି ବିପଦ

ନୂଆଦିଲ୍ଲୀ: କରୋନା ମହାମାରୀ ଗରିବ ମହିଳାମାନଙ୍କ ସ୍ଥିତି ବିଗାଡ଼ି ଦେଇଛି। ସେମାନେ ଜୀବିକା ହରାଇ ବେକାର ହୋଇପଡ଼ିଥିବା ବେଳେ ପୂର୍ବାପେକ୍ଷା କମ୍ ଖାଦ୍ୟ ଖାଉଛନ୍ତି। ଡାଲ୍‌ବର୍ଗ ନାମକ ଏକ କନ୍‌ସଲଟିଂ ସଂସ୍ଥା ଜାରି କରିଥିବା ରିପୋର୍ଟରେ ଏହା କୁହାଯାଇଛି। ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ବେଳକୁ ଏହି ମହିଳାମାନେ ଜୀବିକା ହରାଇଥିଲେ। ସେହିଦିନ ଠାରୁ ସେମାନେ ଆଉ ନିଯୁକ୍ତି ବଜାରକୁ ଫେରିନାହାନ୍ତି। ଗତବର୍ଷର ମାର୍ଚ୍ଚ-ଅକ୍ଟୋବର ସମୟର ସ୍ଥିତିକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ଏକ ଦଶମାଂଶ କହିଛନ୍ତି ଯେ ସେମାନେ ଖାଦ୍ୟ ଖାଇବା କମ୍ କରିଛନ୍ତି। କିଛି ମହିଳା ଖାଦ୍ୟ ପାଇବାକୁ ସଂଘର୍ଷ କରିଥିବା ମଧ୍ୟ କହିଛନ୍ତି। ୧୬ ପ୍ରତିଶତ ମହିଳାଙ୍କୁ ଋତୁସ୍ରାବ ବେଳେ ବ୍ୟବହାର କରାଯାଉଥିବା ପ୍ୟାଡ୍ ମିଳିନଥିଲା। ୩୩% ବିବାହିତା ମହିଳା ଗର୍ଭନି‌ରୋଧକ ସୁବିଧା ହାସଲ କରିବାରୁ ବଞ୍ଚିତ ହୋଇଥିଲେ ବୋଲି କହିଛନ୍ତି।

ବର୍ତ୍ତମାନ କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଜାରି ରହିଛି। ଯଦିଓ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ହ୍ରାସ ପାଉଛି, କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ମହାମାରୀ ସମୟରେ ଲୋକମାନଙ୍କ ଜୀବନ କିଭଳି ପ୍ରଭାବିତ ‌ହୋଇଛି ତାହା ଜାଣିବା ଲାଗି ଡାଲ୍‌ବର୍ଗ ତରଫରୁ ଏହି ସର୍ଭେ କରାଯାଇଥିଲା। ବିଶେଷ କରି ମହିଳାମାନଙ୍କ ପୁଷ୍ଟି, ସ୍ବାସ୍ଥ୍ୟ ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ପ୍ରଥମ ଲହରରେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ଦ୍ବିତୀୟ ଲହରରେ ତାହା ଆହୁରି ଜଟିଳ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ସର୍ଭେର ନିର୍ଯ୍ୟାସ ସମ୍ପର୍କରେ ଡାଲବର୍ଗର ପାର୍ଟନର ଶ୍ବେତା ତୋତାପାଲ୍ଲି କହିଛନ୍ତି ଯେ ଯଦି ମହାମାରୀ ପ୍ରଭାବରେ ଅଧିକରୁ ଅଧିକ ମହିଳା ଜୀବିକା ହରାଇବେ ତେବେ ସମାଜ ଉପରେ ତାହାର ଖରାପ ପ୍ରଭାବ ପଡ଼ିବ। ପରିବାରଗୁଡ଼ିକ ଋଣ ଭାରରେ ବୁଡ଼ିଯିବେ ଓ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଅଧିକ ଛାତ୍ରୀ ଅଧାରୁ ପାଠ ଛାଡ଼ିବେ। ଏଭଳି ସ୍ଥିତି ସୃଷ୍ଟି ହେଲେ ଝିଅ ବୋଝ ହାଲୁକା କରିବା ଲାଗି ବାଲ୍ୟ ବିବାହ ବହୁତ ବଢ଼ିଯିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।

ଏହି ସର୍ଭେରୁ ଜଣାପଡ଼ିଛି ଯେ ୨୮% ମହିଳା ଜୀବିକା ହରାଇଥିଲେ। ସେମାନଙ୍କ ମଧ୍ୟରୁ ୪୮% ଏବେବି ବେକାର ଅଛନ୍ତି। ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଜୀବିକା ହରାଇଛନ୍ତି। ୨୭% ମହିଳା କହିଛନ୍ତି ଯେ ମହାମାରୀ ସମୟରେ ସେମାନଙ୍କୁ କମ୍ ବିଶ୍ରାମ ମିଳିଥିଲା। ମୁସଲିମ, ପ୍ରବାସୀ ମହିଳା, ଏକାକୀ ରହୁଥିବା, ବିବାହ ବିଚ୍ଛେଦ ଗଟିଥିବା ଏବଂ ବିଧବା ହୋଇଥିବା ମହିଳାମାନେ ଅଧିକ ପ୍ରଭାବିତ ହୋଇଥିଲେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ମହିଳାମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିବାକୁ ଏହି ସର୍ଭେ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ମନରେଗା ଭଳି ନିଶ୍ଚିତ ନିଯୁକ୍ତି ସ୍କିମ୍‌ରେ ମହିଳାମାନଙ୍କ ଲାଗି ନିର୍ଦିଷ୍ଟ ଭାବେ କାମ ଯୋଗାଇବା ଲାଗି ବ୍ୟବସ୍ଥା କରିବା, ମାଗଣା ଖାଦ୍ୟ ଭଳି ମାଗଣାରେ ଯେଭଳି ମହିଳାମାନଙ୍କ ନିକଟରେ ଋତୁସ୍ରାବ ବେଳେ ଦରକାର ହେଉଥିବା ପ୍ୟାଡ୍‌ ବଣ୍ଟନ କରାଯାଇପାରିବ ସେଥିପାଇଁ ସ୍ବତନ୍ତ୍ର ନୀତି ‌ଘୋଷଣା କରିବାର ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର