ଶ୍ବାସନଳୀ ସଙ୍କ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋପ୍‌ ଫ୍ରାନ୍‌ସିସ୍‌

ଭଟିକାନ୍‌ ସିଟି: ଶ୍ବାସନଳୀ ସଙ୍କ୍ରମଣ ଯୋଗୁଁ ନିଃଶ୍ବାସପ୍ରଶ୍ବାସ କ୍ରିୟାରେ ଅସୁବିଧା ଅନୁଭବ କରୁଥିବା ପୋପ୍‌ ଫ୍ରାନ୍‌ସିସ୍‌ଙ୍କୁ ବୁଧବାର ଦିନ ରୋମ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ନିମନ୍ତେ ସେ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ‘ଭଟିକାନ୍‌’ କହିଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭଟିକାନ୍‌ର ମୁଖପାତ୍ର ମାଟେଓ ବ୍ରୁନି କହିଛନ୍ତି, ନିଃଶ୍ବାସପ୍ରଶ୍ବାସ କ୍ରିୟାରେ କଷ୍ଟ ହେଉଥିବା କଥା ଅଳ୍ପ କେଇ ଦିନ ହେବ ପୋପ୍‌ ଫ୍ରାନ୍‌ସିସ୍‌ କହୁଥିଲେ।

ବ୍ରୁନି ଆହୁରି ମଧ୍ୟ କହିଛନ୍ତି, ଡାକ୍ତରୀ ପରୀକ୍ଷାନିରୀକ୍ଷା ନିମନ୍ତେ ପୋପ୍‌ ଫ୍ରାନ୍‌ସିସ୍‌ଙ୍କୁ ରୋମ୍‌ର ଗେମେଲି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଶ୍ବାସନଳୀ ସଙ୍କ୍ରମଣରେ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଲା। ସେଥିପାଇଁ ଅଳ୍ପ କିଛି ଦିନ ଡାକ୍ତରଖାନା ରହି ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେଉଛି। କିନ୍ତୁ, ସେ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ନାହାନ୍ତି।

Image Courtesy of NDTV

ଏହା ପୂର୍ବରୁ ଅପରାହ୍ଣରେ ଭଟିକାନ୍‌ କହିଥିଲା ଯେ, କେତେକ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା। ସେଥିପାଇଁ, ପୋପ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେଣୁ, ଗୁରୁବାର ସକାଳ ନିମନ୍ତେ ଥିବା ପୋପ୍‌ଙ୍କ ସହିତ ସମସ୍ତ ଦେଖା-ସାକ୍ଷାତ ବାତିଲ୍‌ କରିଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ୮୬ ବର୍ଷ ବୟସରେ ପଦାର୍ପଣ କରିଥିବା ପୋପ୍‌ ଫ୍ରାନ୍‌ସିସ୍‌ ଚଳିତ ମାସକୁ ମିଶାଇ ବିଗତ ୧୦ ବର୍ଷ ହେବ କ୍ୟାଥୋଲିକ୍‌ ଚର୍ଚର ମୁଖ୍ୟ ହୋଇ ରହିଆସିଛନ୍ତି। ଭଟିକାନ୍‌ରେ ସେ ପ୍ରତି ସପ୍ତାହରେ ହସଖୁସି ମିଜାଜ୍‌ରେ ଜନସାଧାରଣଙ୍କୁ ଦେଖାଦିଅନ୍ତି।

ସମ୍ବନ୍ଧିତ ଖବର