ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନପିଆର ନବୀକରଣ ପ୍ରକ୍ରିୟା ସ୍ଥଗିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନଗଣନା ରୋକିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କଥା ଆଜି ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ  ୨୦୨୧ ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ ରହିବ । ଏଥିସହ ଏନପିଆର ବା ଜାତୀୟ ଜନସଂଖ୍ୟା ପଞ୍ଜିକା ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି  ନେଇଛନ୍ତି କେନ୍ଦ୍ର ସରକାର । ଆଜି ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ଏପ୍ରିଲ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କରୋନା ଭାଇରସ ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ବର୍ତ୍ତମାନ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ତେଣୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ।

ତେବେ ଗତ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଗଣନା ଘୁଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଥିଲେ । ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ସାରା ଦେଶରେ ୩୦ ଲକ୍ଷ କର୍ମଚାରୀଙ୍କର ଆବଶ୍ୟକତା ରହିଛି । ହେଲେ ଏମାନଙ୍କର ଟ୍ରେନିଂଠାରୁ ଆରମ୍ଭ କରି ଫିଲଡ଼ ଭିଜିଟ ଜରିଆରେ ତଥ୍ୟ ସଂଗ୍ରହ ଉପରେ କରୋନା ଭାଇରସ ବିପଦ ରହିଛି । ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ମୁକାବିଲା ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର