ନୂଆଦିଲ୍ଲୀ: ଜନମଙ୍ଗଳ କାର୍ଯ୍ୟରେ ଚଳିତ ଆର୍ଥିକବର୍ଷ ଦେଶର ୧୮ଟି ରାଜ୍ୟ ଖର୍ଚ୍ଚ କରିବେ ୬.୪ ଲକ୍ଷ କୋଟି ଟଙ୍କା (୭୬.୭୬ ବିଲିଅନ ଡଲାର)। ମାଗଣା ଯାତ୍ରା ଏବଂ ମହିଳାମାନଙ୍କୁ ମାସିକ ଆୟ ଯୋଜନା ଭଳି କାର୍ଯ୍ୟକ୍ରମମାନ ଚଳାଇଥିବାରୁ ରାଜ୍ୟଗୁଡ଼ିକର ଏ ବାବଦ ଖର୍ଚ୍ଚ ବୃଦ୍ଧି ପାଇଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା କାରଣରୁ ଆଗାମୀ କିଛିବର୍ଷ ପାଇଁ ଏହି ଖର୍ଚ୍ଚ ମଧ୍ୟ ଉଚ୍ଚସ୍ତରରେ ରହିବ।
ଶସ୍ତା ଲୋକପ୍ରିୟ ଯୋଜନା ବାବଦ ଖର୍ଚ୍ଚ ପାଇଁ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଅନେକ ମୂଲ୍ୟ ଦେବାକୁ ପଡ଼ିବ। ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ବାବଦରେ ରାଜ୍ୟ ସରକାରଙ୍କ ଖର୍ଚ୍ଚ କରିବା କ୍ଷମତାକୁ ଏହା କମାଇ ଦେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି। ଦେଶର ୧୮ଟି ବଡ଼ ରାଜ୍ୟର ବଜେଟ୍କୁ ବିଶ୍ଳେଷଣ କରି କ୍ରିସିଲ୍ ଏହି ରିପୋର୍ଟ ପ୍ରକାଶ କରିଛି। ଯେଉଁ ୧୮ଟି ବଡ଼ ରାଜ୍ୟର ବଜେଟ୍ ତଥ୍ୟକୁ ବିଶ୍ଳେଷଣ କରାଯାଇଛି ଦେଶର ସବୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)ରେ ତାହାର ଅଂଶ ପ୍ରାୟ ୯୦ ପ୍ରତିଶତ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଜେଟ୍ରେ ଜନମଙ୍ଗଳ କାର୍ଯ୍ୟ ବାବଦ ବ୍ୟୟ ମୁଖ୍ୟ ଅଂଶ ସାଜିଛି। କେନ୍ଦ୍ର ସରକାର ମନରେଗା, ଜଳ ଜୀବନ ମିସନ, ପିଏମ୍ କିଷାନ, ପିଏମ୍ ଆବାସ, ପିଏମ୍ ପୋଷଣ ଭଳି ବିଭିନ୍ନ ସମାାଜିକ ମଙ୍ଗଳ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ମନରେଗା ଯୋଜନାକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକବର୍ଷରେ ଏଥିପାଇଁ ୮୬ ହଜାର କୋଟି (୧୦ ବିଲିଅନ ଡଲାର) ଅର୍ଥ ଆବଣ୍ଟନ କରାଯାଇଛି। ଜଳ ଜୀବନ ମିସନ, ପିଏମ୍ କିଷାନ, ପିଏମ୍ ଆବାସ ଏବଂ ପିଏମ୍ ପୋଷଣ ଯୋଜନା ପାଇଁ ୨.୩୦ ଲକ୍ଷ କୋଟିରୁ ଅଧିକ (୨୬.୯୦ ବିଲିଅନ ଡଲାର) ଅର୍ଥ ଆବଣ୍ଟନ କରାଯାଇଛି।
ରାଜ୍ୟ ସରକାରଗୁଡ଼ିକ ସାମାଜିକ ମଙ୍ଗଳ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିବା ଫଳରେ ରାଜସ୍ବ ନିଅଣ୍ଟ ବଢ଼ିଯିବ। ଏଥିସହିତ ସେମାନଙ୍କର ପୁଞ୍ଜି ବ୍ୟୟ କ୍ଷମତା ସଂକୁଚିତ ହେବ ବୋଲି କ୍ରିସିଲ ସତର୍କ କରାଇ ଦେଇଛି। ସାଧାରଣ ନିର୍ବାଚନ ସମେତ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା, ଶିଶୁ, ଶ୍ରମିକ ଏବଂ ପଛୁଆ ବର୍ଗଙ୍କ ଲାଗି ରାଜ୍ୟ ସରକାରମାନେ ରାଜସ୍ବ ବ୍ୟୟ ବଢ଼ାଇଥିଲେ। ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ସ୍ଥାନାନ୍ତର ଯୋଜନା ଅନେକ ରାଜ୍ୟ ଆରମ୍ଭ କରିଥିଲେ। ମାସିକ ସେମାନଙ୍କୁ ୧୦୦୦ରୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କେତେକ ରାଜ୍ୟ ମହିଳାମାନଙ୍କୁ ସରକାରୀ ବସରେ ମାଗଣା ଯାତ୍ରା ସୁବିଧା ପ୍ରଦାନ କରିଥିଲେ।
କ୍ରିସିଲ ରେଟିଙ୍ଗସର ବରିଷ୍ଠ ନିର୍ଦ୍ଦେଶକ ଅନୁଜ ସେଠ୍ କୁହନ୍ତି, ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକବର୍ଷରେ ସାମାଜିକ ମଙ୍ଗଳ ବାବଦରେ ହେଉଥିବା ବ୍ୟୟ ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ପ୍ରାୟ ୨.୩ ଲକ୍ଷ କୋଟି ଟଙ୍କା (୨୬.୯୦ ବିଲିଅନ ଡଲାର) ବୃଦ୍ଧି ପାଇବ। ସେଥିରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା (୧୧.୬୭ ବିଲିଅନ ଡଲାର) ଅର୍ଥ ରାଶି ମହିଳାମାନଙ୍କୁ ନିର୍ବାଚନ ବେଳେ ଆର୍ଥିକ ସହାୟତା ପ୍ରଦାନ ବାବଦରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଖର୍ଚ୍ଚ ହେବ। ଏହାବ୍ୟତୀତ ଅନ୍ୟ ଯେଉଁ ୧.୩ ଲକ୍ଷ କୋଟି ଟଙ୍କା (୧୫.୧୭ ବିଲିଅନ ଡଲାର) ଅର୍ଥ ଖର୍ଚ୍ଚ ହେବ ସେଗୁଡ଼ିକ ମୁଖ୍ୟତଃ ପଛୁଆ ବର୍ଗର ଲୋକଙ୍କୁ ଆର୍ଥିକ/ଚିକିତ୍ସା ସହାୟତା ପ୍ରଦାନ ଏବଂ ସମାାଜିକ ସୁରକ୍ଷା ପେନସନ ରାଶି ବାବଦରେ ହେବ।
ସାମାଜିକ ମଙ୍ଗଳ ବାବଦ ଖର୍ଚ୍ଚ ବଢ଼ିଥିବାରୁ ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକବର୍ଷରେ ରାଜ୍ୟଗୁଡ଼ିକର ମୋଟ ରାଜସ୍ବ ବ୍ୟୟ ୧୩ରୁ ୧୪ ପ୍ରତିଶତ ବଢ଼ିବ ବୋଲି କ୍ରିସିଲ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜସ୍ବ ଆୟ ଗତ ଆର୍ଥିକବର୍ଷରେ ମାତ୍ର ୬.୬ ପ୍ରତିଶତ ବଢ଼ିଥିବାବେଳେ ଚଳିତ ଆର୍ଥିକବର୍ଷରେ ଏହା ୬ରୁ ୮ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଛି। ଆୟ ଓ ବ୍ୟୟରେ ପାର୍ଥକ୍ୟ କାରଣରୁ ରାଜସ୍ବ ନିଅଣ୍ଟ ଉଚ୍ଚ ସ୍ତରରେ ରହିବ। ରାଜସ୍ବ ନିଅଣ୍ଟ ବଢ଼ିଯିବା ଦ୍ବାରା ରାଜ୍ୟଗୁଡ଼ିକ ସେମାନଙ୍କ ବିତ୍ତୀୟ ସ୍ଥିରତା ବଜାୟ ରଖିବା ଲାଗି ପୁଞ୍ଜିବ୍ୟୟକୁ କମାଇବେ। ଗତ ଆର୍ଥିକବର୍ଷରେ ପୁଞ୍ଜି ବ୍ୟୟ ମାତ୍ର ୬ ପ୍ରତିଶତ ବଢ଼ିଥିଲା। କିନ୍ତୁ ତା ପୂର୍ବ ପାଞ୍ଚବର୍ଷରେ ପୁଞ୍ଜି ବ୍ୟୟ ବୃଦ୍ଧି ହାର ୧୧ ପ୍ରତିଶତରୁ ଅଧିକ ରହିଥିଲା। ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜନମଙ୍ଗଳ ଯୋଜନାରେ ଖର୍ଚ୍ଚ ବୃଦ୍ଧି ସମୟରେ ରାଜସ୍ବ ଆୟ ବଢ଼ିବା ମଧ୍ୟ ଜରୁରୀ। ଯଦି ଏହା ନହୁଏ ତାହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଖରାପ କରିବ ଏବଂ ବିତ୍ତୀୟ ଶୃଙ୍ଖଳା ପ୍ରଭାବିତ ହେବ ବୋଲି କ୍ରିସିଲ ପକ୍ଷରୁ କୁହାଯାଇଛି।
ରାଜକୋଷକୁ ବୋଝ ଶସ୍ତା ଲୋକପ୍ରିୟ ଯୋଜନା
ଜନମଙ୍ଗଳ କାର୍ଯ୍ୟରେ ଚଳିତ ଆର୍ଥିକବର୍ଷ ଦେଶର ୧୮ଟି ରାଜ୍ୟ ଖର୍ଚ୍ଚ କରିବେ ୬.୪ ଲକ୍ଷ କୋଟି ଟଙ୍କା (୭୬.୭୬ ବିଲିଅନ ଡଲାର)। ମାଗଣା ଯାତ୍ରା ଏବଂ ମହିଳାମାନଙ୍କୁ ମାସିକ ଆୟ ଯୋଜନା ଭଳି କାର୍ଯ୍ୟକ୍ରମମାନ ଚଳାଇଥିବାରୁ ରାଜ୍ୟଗୁଡ଼ିକର ଏ ବାବଦ ଖର୍ଚ୍ଚ ବୃଦ୍ଧି ପାଇଛି। ନିର୍ବାଚନ ସମୟରେ ଦିଆଯାଇଥିବା...
/sambad/media/media_files/2025/06/27/mjhvfytg-2025-06-27-04-12-26.jpg)