ସଂଖ୍ୟାଲଘୁଙ୍କ ଜନସଂଖ୍ୟା ବୃଦ୍ଧି ହାର କମିଛି

ହିନ୍ଦୁ-ମୁସ୍‌ଲିମ ପ୍ରଜନନ ହାର ସମାନ ସ୍ତରରେ ପହଞ୍ଚିବ

ନୂଆଦିଲ୍ଲୀ : ଆମେରିକାର ପିଉ ଗବେଷଣା କେନ୍ଦ୍ର ଦ୍ବାରା ଭାରତର ଜନଗଣନା ଓ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ର ତଥ୍ୟ ଆଧାରରେ ହୋଇଥିବା ଏକ ‌ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରମୁଖ ଭାରତୀୟ ଧାର୍ମିକ ସଂପ୍ରଦାୟର ଜନସଂଖ୍ୟା ବୃଦ୍ଧିହାର ହ୍ରାସ ପାଇଛି। ପୂର୍ବ ଦଶନ୍ଧିଗୁଡ଼ିକରେ ହିନ୍ଦୁମାନଙ୍କ ସଂଖ୍ୟା ତୁଳନାରେ ଦ୍ରୁତ ବୃଦ୍ଧି ପାଇଥିବା ଧାର୍ମିକ ସଂଖ୍ୟାଲଘୁଙ୍କ ଜନସଂଖ୍ୟ‌ାର ବୃଦ୍ଧିହାର ଅଧିକ ହ୍ରାସ ପାଇଛି। ଭାରତରେ ମୁସ୍‌ଲିମ ଏବଂ ହିନ୍ଦୁମାନଙ୍କ ଜନ୍ମ ହାର ବା ପ୍ରଜନନ ହାରରେ ହ୍ରାସ ପାଇବା ସହିତ ଏହା ପ୍ରାୟ ସମାନସ୍ତରରେ ପହଞ୍ଚିବାକୁ ଯାଉଛି। ୧୯୯୨ରୁ ୨୦୧୫ ଭିତରେ ମୁସ୍‌ଲମାନଙ୍କ ମୋଟ ପ୍ରଜନନ ହାର ୪.୪ରୁ କମି ୨.୬କୁ ଆସିଯାଇଛି। ଅନ୍ୟପକ୍ଷରେ ହିନ୍ଦୁମାନଙ୍କ ପ୍ରଜନନ ହାର ୩.୩ରୁ କମି ୨.୧ରେ ପହଞ୍ଚିଯାଇଛି।

ସର୍ଭେରେ ପୁଣି କୁହାଯାଇଛି ଯେ କେବଳ ଉତ୍ତରପୂର୍ବାଞ୍ଚଳକୁ ଛାଡ଼ିଦେଲେ ଭାରତର ଧାର୍ମିକ ସଂରଚନା ମୁଖ୍ୟତଃ ଅପରିବର୍ତ୍ତିତ ରହିଛି। ୨୦୦୧ରୁ ୨୦୧୧ ମଧ୍ୟରେ ଉତ୍ତରପୂର୍ବାଞ୍ଚଳରେ ଖ୍ରୀଷ୍ଟିଆନମାନେ ରାଜ୍ୟ ଜନସଂଖ୍ୟାର ପ୍ରତିଶତ ହିସାବରେ ବୃଦ୍ଧି ପାଇଥିଲା। ଅରୁଣାଚଳ ପ୍ରଦେଶରେ ସେମାନଙ୍କ ଅଂଶ ୧୨ ପଏଣ୍ଟ (୩୦ ପ୍ରତିଶତ ପର୍ଯ୍ୟନ୍ତ), ମଣିପୁରରେ ୭ ପଏଣ୍ଟ (୪୧ ପ୍ରତିଶତ ପର୍ଯ୍ୟନ୍ତ), ମେଘାଳୟରେ ୪ ପଏଣ୍ଟ (୭୫ ପ୍ରତିଶତ) ଏବଂ ସିକିମରେ ୩ ପଏଣ୍ଟ (୧୦ ପ୍ରତିଶତ) ବୃଦ୍ଧି ପାଇଛି। ନାଗାଲାଣ୍ଡରେ ଖ୍ରୀଷ୍ଟିଆନମାନଙ୍କ ଅଂଶ ସାମାନ୍ୟ ହ୍ରାସ ପାଇଛି, ଯଦିଚ ସେମାନେ ସେଠାରେ ସଂଖ୍ୟାଧିକ ଭାବେ ରହିଛନ୍ତି।

ଉତ୍ତରପୂର୍ବାଞ୍ଚଳରେ ହିନ୍ଦୁମାନଙ୍କ ସଂଖ୍ୟା ବହୁତ କମ୍ ରହିଥିବା ବେଳେ ସେମାନଙ୍କ ପ୍ରତିଶତ ପଏଣ୍ଟରେ ବଡ଼ ପରିବର୍ତ୍ତନ (୩ ପଏଣ୍ଟ ବା ଅଧିକ ହ୍ରାସ) ଘଟିଛି। ଅରୁଣାଚଳ ପ୍ରଦେଶରେ ୬ ପ୍ରତିଶତ ପଏଣ୍ଟ କମି ୨୯ ପ୍ରତିଶତ, ମଣିପୁରରେ ୫ ପଏଣ୍ଟ କମି ୪୧ ପ୍ରତିଶତ, ଆସାମରେ ୩ ପଏଣ୍ଟ କମି ୬୧ ପ୍ରତିଶତ ଏବଂ ସିକିମରେ ୩ ପଏଣ୍ଟ କମି ୫୮ ପ୍ରତିଶତ ହୋଇଛି। ମୁସଲମାନଙ୍କ ଅଂଶ ମଧ୍ୟ ଉତ୍ତରପୂର୍ବାଞ୍ଚଳ, ଆସାମରେ ୩ ପଏଣ୍ଟ କମି ୩୪ ପ୍ରତିଶତ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ ଧାର୍ମିକ ସମ୍ପ୍ରଦାୟଗୁଡ଼ିକର ଜନସାଂଖ୍ୟିକ ସଂରଚନାରେ ତିନୋଟି କାରଣରୁ ପରିବର୍ତ୍ତନ ଘଟିଥାଏ। ତାହାହେଲା ପ୍ରଜନନ ହାର, ପ୍ରବାସନ ବା ଆପ୍ରବାସନ ଏବଂ ୩) ଧର୍ମାନ୍ତରୀକରଣ। ଧର୍ମାନ୍ତରୀକରଣ ଏକ ନଗଣ୍ୟ କାରଣ ହୋଇଥିବା ବେଳେ ପ୍ରଜନନ ହାର ଓ ପ୍ରବାସନ ସଂଖ୍ୟା ପରିବର୍ତ୍ତନର ଏକ ମୁଖ୍ୟ କାରଣ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରଜନନ ହାରରେ ଭିନ୍ନତା ଯୋଗୁ ଭାରତରେ ମୁସଲମାନ ସମ୍ପ୍ରଦାୟର ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଏହି ହାରରେ କିଛିଟା ପରିବର୍ତ୍ତନ ଘଟିଛି। ୧୯୫୧-୬୧ ଭିତରେ ଭାରତରେ ଜନସଂଖ୍ୟା ବୃଦ୍ଧି ହାର ୨୧.୬ ପ୍ରତିଶତ ଥିବାବେ‌ଳେ ମୁସଲମାନଙ୍କ ବୃଦ୍ଧି ହାର ଥିଲା ୩୨.୭ ପ୍ରତିଶତ, ଯାହା ଦେଶର ହାରାହାରିଠାରୁ ୧୧ ପ୍ରତିଶତ ଅଧିକ। କିନ୍ତୁ ୨୦୦୧-୧୧ ଭିତରେ ମୁସଲମାନଙ୍କ ବୃଦ୍ଧି ହାର (୨୪.୭ ପ୍ରତିଶତ) ଦେଶର ସାଧାରଣ ବୃଦ୍ଧି ହାର (୧୭.୭ ପ୍ରତିଶତ)ଠାରୁ ୭ ପ୍ରତିଶତ ପଏଣ୍ଟ ଅଧିକ। ଭାରତର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଉଛି। ସଦ୍ୟତମ ଜନଗଣନା ଦଶନ୍ଧିରେ ‌ସେମାନେ ୧୫.୭ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ପୂର୍ବ ଦଶନ୍ଧି ତୁଳନାରେ (୨୯ ପ୍ରତିଶତ) ଏହା ବହୁତ କମ୍।

ସମ୍ବନ୍ଧିତ ଖବର