ଜନସଂଖ୍ୟାରେ ଚୀନ୍‌କୁ ଟପିଯିବ ଭାରତ

ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ : ଆଗାମୀ ୮ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା‌ ଚୀନ୍‌କୁ ଟପିଯିବ। ୨୦୨୭ ବେଳକୁ ଭାରତ ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ବିଶି‌ଷ୍ଟ ଦେଶଭାବେ ଚୀନ୍‌କୁ ଅତିକ୍ରମ କରିବ ବୋଲି ଜାତିସଂଘ ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ରୁ ୨୦୫୦ ମଧ୍ୟରେ ଭାରତ ସମେତ ନାଇଜେରିଆ, ପାକିସ୍ତାନ, ଡେମୋକ୍ରାଟିକ୍ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଇଥିଓପିଆ, ତାଂଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ ଏବଂ ଆମେରିକାରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏବେ ବିଶ୍ବ ଜନସଂଖ୍ୟା ୭୭୦ କୋଟି ଥିବା‌ବେଳେ ୨୦୫୦ ସୁଦ୍ଧା ଏହା ବୃଦ୍ଧି ପାଇ ୯୭୦ କୋଟିରେ ପହଞ୍ଚିବ।
ରିପୋର୍ଟ ଅନୁଯାୟୀ ୧୯୯୦‌ରେ ବିଶ୍ବ ପ୍ରଜନନ ହାର ପ୍ରତି ମହିଳାଙ୍କ କ୍ଷେତ୍ରରେ ୩.୨ ଥିବାବେଳେ ୨୦୧୯ରେ ଏହା କମି ୨.୫ରେ ରହିଛି। ୨୦୫୦ ବେଳକୁ ପ୍ରଜନନ ହାର ପୁନର୍ବାର କମି ୨.୨ ରହିବ ବୋଲି ଜଣାପଡ଼ିଛି। ଅନ୍ୟପ‌କ୍ଷେ ଆଫ୍ରିକା ଜନସଂଖ୍ୟା ୨୦୫୦ ସୁଦ୍ଧା ଦୁଇଗୁଣ ହେବ। ତେବେ ୨୦୧୯ରୁ ୫୦ ମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଉତ୍ତର ଆଫ୍ରିକା, ପଶ୍ଚିମ ଏସିଆ, ଅଷ୍ଟ୍ରେଲିଆ/ନ୍ୟୁଜିଲାଣ୍ଡ୍‌, ମଧ୍ୟ ଏବଂ ଦକ୍ଷିଣ ଏସିଆ , ଲାଟିନ୍‌ ଆମେରିକା, ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ, ୟୁରୋପ୍‌ ଏବଂ ଉତ୍ତର ଆମେରିକାର ଜନସଂଖା କମିବ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି। ଏବେ ଭାରତର ଜନସଂଖ୍ୟା ୧୩୭ କୋଟି ରହିଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ରହିଛି। ୨୦୨୭ ବେଳକୁ ଭାରତର ଜନସଂଖ୍ୟା ୧୪୮ କୋଟି ଅତିକ୍ରମ କରିଯିବ। ଭବିଷ୍ୟତରେ ପ୍ରାକୃତିକ ସମ୍ପଦର ଅଭାବ ଭାରତ ପାଇଁ ବିରାଟ ଚ୍ୟାଲେଂଜ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଭାରତୀୟ-ଆମେରିକୀୟ ଜନସଂଖ୍ୟା ୩୮% ବୃଦ୍ଧି

ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବ ଜନସଂଖ୍ୟା ୨୦୧୦ରୁ ୨୦୧୭ ମଧ୍ୟରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୦ ମସିହାରେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୩୧,୮୩,୦୬୩ ଥିବାବେଳେ ୨୦୧୭ରେ ଏହା ୩୮.୩ ପ୍ରତିଶତ ବୃଦ୍ଧି ପାଇ ୪୪,୦୨,୩୬୩ରେ ପହଞ୍ଚି ଥିଲା। ଦକ୍ଷିଣ ଏସୀୟ ଆଡଭୋକେସି ଗ୍ରୁପ୍‌ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ୨୦୧୦ରୁ ଆହୁରି ୬,୩୦,୦୦୦ ଭାରତୀୟ ଜନସଂଖ୍ୟା ତାଲିକାଭୁକ୍ତ ହୋଇନାହାନ୍ତି ବୋଲି ଜଣାପଡ଼ିଛି। ଅନେକ ଭାରତୀୟ ବଂ‌ଶୋଦ୍ଭବଙ୍କ ଭିସା ଅବଧି ସରିଯା‌ଇ ସେମାନେ ବେଆଇନ ଭାବେ ଆମେରିକାରେ ଅବସ୍ଥାନ କରୁଥିବାରୁ ସେମାନେ ତାଲିକାଭୁକ୍ତ ହୋଇନାହାନ୍ତି ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବେସରକାରୀ ଭାବେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୨୦୧୦ ମସିହାରୁ ୭୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

କେମିତି ମୁକାବିଲା କରିବ ଭାରତ
ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ୨୦୨୭ ବେଳକୁ ଚୀନ୍‌କୁ ଟପିଯାଇ ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ବିଶି‌ଷ୍ଟ ରାଷ୍ଟ୍ର ହେବ। ଭାରତର ଜନସଂଖ୍ୟା‌ ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ। ଗତ ୫ ଦଶନ୍ଧୀ ମଧ୍ୟରେ ଭାରତରେ ଗରିବଙ୍କ ସଂଖ୍ୟା କମିଛି। ପ୍ରଜନନ ହାର ମଧ୍ୟ କମିଛି। ଜନସଂଖ୍ୟା‌ ବୃଦ୍ଧି ସମସ୍ୟାକୁ ଭାରତ କିଭଳି ମୁକାବିଲା କରିବ ସେନେଇ ଚିନ୍ତା ପ୍ରକଟ ହୋଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ଆଣ୍ଡ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଗ୍ରୋଥ୍‌ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତ ଏବେ ଏହାର ଜନସଂଖ୍ୟାକୁ ନଜରରେ ରଖି ପ୍ରାକୃତିକ ସମ୍ପଦ ଉପରେ ଗୁରୁତ୍ବ ଦେବା ଉଚିତ୍‌। ଜନସଂଖ୍ୟା ବୃଦ୍ଧି ହେଲେ ପ୍ରଥମେ ଏହା ସ୍ବାସ୍ଥ୍ୟ ସେବା ଉପରେ ପ୍ରଭାବ ପକାଇବ। ଅଧିକ ଜନସଂଖ୍ୟା ‌ହେଲେ ଦାରିଦ୍ର୍ୟ, ଅନାହାର ଏବଂ ସ‌ର୍ବୋପରି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟିହେବ। ଜନସଂଖ୍ୟା ବୃଦ୍ଧି ପାଇଲେ ସେହି ତୁଳନାରେ ଖାଦ୍ୟ ଉତ୍ପାଦନ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ। ଅନ୍ୟଥା‌ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ବଡ଼ ଧରଣର ସଙ୍କଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର