କଶ୍ମୀର ଫଳବଗିଚାରେ ଝିଙ୍କ ଉପଦ୍ରବ: ଛାଲି ଖାଇଯାଉଥିବାରୁ ଉଜୁଡ଼ି ଯାଉଛି ଅସଂଖ୍ୟ ବାଦାମ ଓ ସେଓ ଗଛ

ଶ୍ରୀନଗର: ଝିଙ୍କମାନେ ବାଦାମ (ଆଲ୍‌ମଣ୍ଡ୍‌) ଓ ସେଓ ଗଛ ଆକ୍ରମଣ କରି ନଷ୍ଟ କରି ପକାଉଥିବାରୁ କଶ୍ମୀର ଉପତ୍ୟକାର ଚାଷୀମାନଙ୍କ ଜୀବୀକା ଏବେ ସଙ୍କଟାପନ୍ନ ହୋଇଯାଇଥିବା ଜଣାପଡ଼ିଛି।

ତେଣୁ, ଉପାୟଶୂନ୍ୟ ଫଳବଗିଚାର ମାଲିକମାନେ ଗଛ ଗଣ୍ଡିରେ ତାର ଜାଲି ଓ ଝୋଟ ଅଖା ଗୁଡ଼ାଇ ଦେଉଛନ୍ତି। କୃଷକମାନେ କହୁଛନ୍ତି, ଶୀତମାସମାନଙ୍କରେ ବହୁସଂଖ୍ୟକ ଝିଙ୍କ ଫଳଗଛଗୁଡ଼ିକୁ ଆକ୍ରମଣ କରୁଛନ୍ତି।

ଏ ବିଷୟରେ ପୁଲ୍‌ୱାମାର କୃଷକ ଗୁଲାମ୍‌ ନବି ଦାର୍‌ କହନ୍ତି, ଶୀତଋତୁରେ ଝିଙ୍କମାନେ ଗଛଗୁଡ଼ିକୁ ଆକମ୍ରଣ କରି ତା’ର ବଳ୍କଳ ଛାଲି ପକାଉଛନ୍ତି। ଫଳରେ ବର୍ଷକ ଭିତରେ ଉକ୍ତ ବଳ୍କଳଛଲା ଗଛ ସବୁ ମରିଯାଉଛି। ଏଥିଯୋଗୁଁ ବ୍ୟାପକ କ୍ଷତି ହେଉଛି। ବାଦାମ (ଆଲ୍‌ମଣ୍ଡ୍‌) ପରେ ଏବେ ଝିଙ୍କମାନେ ସେଓଗଛ ଆକ୍ରମଣ କରୁଛନ୍ତି।

ଫଳତଃ ଫଳ ଉତ୍ପାଦନ ନିମନ୍ତେ କୃଷକମାନେ ବର୍ଷ ବର୍ଷ ଧରି କରିଥିବା ପରିଶ୍ରମ ହଠାତ୍‌ ନଷ୍ଟ ହୋଇଯାଉଛି ବୋଲି କୃଷକମାନ‌େ କହିଛନ୍ତି। ଝିଙ୍କମାନଙ୍କଦ୍ବାରା କ୍ଷତିଗ୍ରସ୍ତ ଅନ୍ୟ ଜଣେ କୃଷକ କହନ୍ତି, ସାରା ଜୀବନ ପରିଶ୍ରମ କରି ଆମେ ଫଳବଗିଚା କରୁଛୁ। ଗଛଟିଏ ବଢ଼ି ଫଳ ଧରିବାକୁ ୧୦ରୁ ୧୫ ବର୍ଷ ଲାଗୁଛି। ଏବେ ଆମେ ଯାଇ ଦେଖିଲା ବେଳେକୁ ଗଛ ସବୁରୁ ଛାଲି ବାହାରି ଯାଇ ହଠାତ୍‌ ବଗିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Image Courtesy of The Kashmir Monitor

ସୂଚନାଯୋଗ୍ୟ, ଗୋଟାଏ ପରିପକ୍ବ ଗଛରୁ ପ୍ରାୟ ୪୦ କିଲୋ ବାଦାମ ମିଳେ। ସେହି ହିସାବରେ ଦେଖିଲେ କୃଷକମାନଙ୍କର କେତେ ପରିମାଣ‌ର କ୍ଷତି ହେଉଛି ତାହା ବୁଝି ହେଉଥିବ। କେତେ ସଂଖ୍ୟକ ବୃକ୍ଷ ନଷ୍ଟ ହୋଇଛି ତାହା ଗଣନା କରାଯାଇ ନ ଥିଲେ ବି ଅସଂଖ୍ୟ ଫଳବୃକ୍ଷ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଶୋପିଆଁ, ପୁଲ୍‌ୱାମା ଏବଂ ବଡ଼ଗାମ୍‌ ଜିଲ୍ଲାସ୍ଥିତ ଫଳବଗିଚା ସବୁ ଝିଙ୍କମାନଙ୍କ ଆକ୍ରମଣ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜମ୍ମୁ ଓ କଶ୍ମୀର ସରକାରଙ୍କ ଉଦ୍ୟାନ କୃଷି ମହାନିର୍ଦେଶକ ଏଜାଜ୍‌ ଅହମଦ୍‌ ଭଟ କହନ୍ତି, ଗତ କେତେ ବର୍ଷ ହେବ ଝିଙ୍କପକ୍ଷୀଙ୍କ ସଂଖ୍ୟ ଢେର୍‌ ବଢ଼ିଯାଇଛି। ଏ ସଂକ୍ରାନ୍ତରେ ଆମେ ବନ୍ୟପ୍ରାଣୀ ବିଭାଗକୁ ପରାମର୍ଶ ମାଗିଛୁ। ସେମାନେ ପ୍ରତିକାର ପାଇଁ ପରାମର୍ଶ ଦେଲେ ଆମ କୃଷକମାନଙ୍କୁ ଜଣାଇବୁ।

ବିଶେଷଜ୍ଞମାନେ କହୁଛନ୍ତି, ଫଳବଗିଚାରୁ ପ୍ରାକୃତିକ ଉପାୟରେ ଝିଙ୍କମାନଙ୍କୁ ତଡ଼ିବାକୁ ହେଲେ ‘ଆଇରିସ୍‌ ଫୁଲଗଛ’ ଲଗାନ୍ତୁ। କିନ୍ତୁ, କଶ୍ମୀର ଉପତ୍ୟକାରେ ୧.୬୨ ହେକ୍ଟର୍‌ ଜମିରେ ଥିବା ଫଳବଗିଚାରେ ୭ କୋଟିରୁ ଅଧିକ ସେଓଗଛ ରହିଛି। ‌ଏତେ ଜମି ପାଇଁ ‘ଆଇରିସ୍‌ ଫୁଲଗଛ’ ପାଇବା ମଧ୍ୟ ସହଜସାଧ୍ୟ ନୁହେଁ। ତେଣୁ, ବାଧ୍ୟ ହୋଇ କୃଷକମାନେ ତାର ଜାଲି ଓ ଅଖାରେ ଫଳଗଛ ଗଣ୍ଡି ଆବୃତ କରୁଛନ୍ତି। କିନ୍ତୁ, ଏହା ସ୍ଥାୟୀ ସମାଧାନ ନୁହେଁ।

ସମ୍ବନ୍ଧିତ ଖବର