ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ ହୋଇଛି। ଏହା ଦ୍ବାରା ଏକ ଶତାବ୍ଦୀରୁ ଅଧିକ ବର୍ଷର ଔପନିବେଶିକ ଯୁଗର ୧୯୦୮ ମସିହାର ଭାରତୀୟ ବନ୍ଦର ଆଇନର ଅନ୍ତ ଘଟିବାକୁ ଯାଉଛି। ଲୋକସଭା ଦ୍ୱାରା ପୂର୍ବରୁ ପାରିତ ହୋଇଥିବା ବେଳେ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ନୂତନ ଆଇନ,ଭାରତର ସାମୁଦ୍ରିକ କ୍ଷେତ୍ରକୁ ଆଧୁନିକୀକରଣ କରି କେନ୍ଦ୍ର-ରାଜ୍ୟର ସମନ୍ୱୟକୁ ବିକଶିତ କରିବ। ଏହା ସହ ବନ୍ଦର-ନେତୃତ୍ୱାଧୀନ ଅଭିବୃଦ୍ଧିକୁ ବିକଶିତ କରିବା ପାଇଁ ଏକ ନିବେଶକ-ଅନୁକୂଳ ଢାଞ୍ଚା ସୃଷ୍ଟି କରିବାର ଆଶା ରହିଛି।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ବିଲ୍ ପାସକୁ ଏକ ମାଇଲଖୁଣ୍ଟ ସଂସ୍କାର ବୋଲି କହିଥିଲେ। ବନ୍ଦରଗୁଡ଼ିକ କେବଳ ସାମଗ୍ରୀ ପାଇଁ ପ୍ରବେଶ ପଥ ନୁହେଁ, ଏହା ଅଭିବୃଦ୍ଧି ନିଯୁକ୍ତି ଏବଂ ସ୍ଥାୟୀ ବିକାଶର ଇଞ୍ଜିନ ଭାବେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ।
ଏହି ସଂସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଛି। ପ୍ରଧାନମନ୍ତ୍ରୀ ଉପନିବେଶବାଦୀ ଐତିହ୍ୟକୁ ପରିତ୍ୟାଗ କରି ଭାରତକୁ ବିଶ୍ୱ ମାନଦଣ୍ଡ ସହିତ ସମାନ କରିବା ପାଇଁ ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି।
ନୂତନ ଆଇନରେ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏବଂ ସମନ୍ୱିତ ବିକାଶ ପାଇଁ ଏକ ଜାତୀୟ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ସାମୁହିକ ପରାମର୍ଶଦାତା ସଂସ୍ଥା ଭାବରେ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ ଗଠନର ବ୍ୟବସ୍ଥା କରାଯାଇଛି। ଏହା ରାଜ୍ୟଗୁଡ଼ିକୁ ଶାସନରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ପାଇଁ ସେମାନଙ୍କର ନିଜସ୍ୱ ସାମୁଦ୍ରିକ ବୋର୍ଡ ସ୍ଥାପନ କରିବାକୁ ଏହା ଅନୁମତି ପ୍ରଦାନ କରିବ।
ସୋନୋୱାଲଙ୍କ ମତରେ, ଏହି ସଂସ୍କାରଗୁଡ଼ିକ ଭାରତକୁ ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁରୋପୀୟ ସଂଘର ସଦସ୍ୟ ଏବଂ ଯୁକ୍ତରାଷ୍ଟ୍ର ଭଳି ପ୍ରମୁଖ ବନ୍ଦର ରାଷ୍ଟ୍ରଗୁଡ଼ିକ ସହିତ ସମକକ୍ଷ କରିବ।
Indian Ports Bill | 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/19/ports-bill-2025-is-about-to-become-law-2025-08-19-19-01-43.jpg)