ନୂଆଦିଲ୍ଲୀ : ଶିଶୁଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ପୋକ୍ସୋ ଆଇନକୁ ଅଧିକ କଠୋର କରିଛି। ସଂଶୋଧିତ ଆଇନ ଅନୁଯାୟୀ ଏଣିକି ୧୨ରୁ କମ୍ ବୟସର ଶିଶୁ (ଉଭୟ ନାବାଳକ ଓ ନାବାଳିକା)ଙ୍କୁ ଦୁଷ୍କର୍ମ ଓ ହତ୍ୟା କରୁଥିବା ଅପରାଧୀଙ୍କୁ ଆଉ ଆଜୀବନ ନୁହେଁ, ବରଂ ସିଧା ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ। ଏଥିପାଇଁ ପୋକ୍ସୋ ଆଇନରେ ସଂଶୋଧନ ଅଣାଯାଇଛି।
ଏ ବାବଦରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଘୋଷଣା କରି କହିଛନ୍ତି ଯେ, ୧୨ରୁ କମ୍ ବୟସର ଶିଶୁଙ୍କ ପ୍ରତି ହେଉଥିବା ଅପରାଧକୁ ଆଉ ସହ୍ୟ କରାଯିବ ନାହିଁ। ଏଭଳି ଜଘନ୍ୟକାଣ୍ଡ ଘଟାଉଥିବା ଲୋକଙ୍କ ବିରୋଧରେ ଏଣିକି ଆଇନ ସର୍ବାଧିକ କଠୋର ହେବ। ସେମାନଙ୍କୁ ଆଜୀବନ ପରିବର୍ତ୍ତେ ମୃତ୍ୟୁଦଣ୍ଡ ପ୍ରଦାନ କରିବା ପାଇଁ ପ୍ରାବଧାନ ହୋଇଛି। କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଶିଶୁଙ୍କ ପ୍ରତି ହେଉଥିବା ଯୌନ ହିଂସାକୁ ରୋକିବା ପାଇଁ ଏହି ପଦକ୍ଷେପ ଅତି ଜରୁରୀ ଥିଲା। ତେଣୁ ସରକାର ଏ ବାବଦରେ ବ୍ୟାପକ ଆଲୋଚନା କରିବା ପରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଆଣିଛନ୍ତି। ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ) ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ରବିଶଙ୍କର କହିଛନ୍ତି।
ପୋକ୍ସୋ ଆଇନର ଧାରା ୪, ୫ ଓ ୬ରେ ମଧ୍ୟ ଆଗକୁ ପରିବର୍ତ୍ତନ ଅଣାଯିବ ଏବଂ ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ହେବ ବୋଲି ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି। ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ହଟାନଯିବା ଏବଂ ନଷ୍ଟ କରାନଗଲେ ଜୋରିମାନାରେ ଦଣ୍ଡିତ କରାଯିବା ସହ ଅନ୍ୟ ଦଣ୍ଡବିଧାନ ସମ୍ପର୍କରେ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ଜମ୍ମୁର କଠୁଆ ସମେତ ବହୁ ହୃଦୟ ବିଦାରକ ଶିଶୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ଦୃଢ଼ ଆଇନ ଲାଗୁ ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଥିଲେ। ଗତ ଏପ୍ରିଲ ୨୧ ତାରିଖ ଦିନ କେନ୍ଦ୍ର କ୍ୟାବିନେଟ୍ ଏସଂକ୍ରାନ୍ତୀୟ ଏକ ଅଧ୍ୟାଦେଶକୁ ମଞ୍ଜୁର କରିଥିଲେ। ଏବେ ଏହାକୁ ସଂଶୋଧନ ଆଣିବା ସହିତ ଏଣିକି ୧୨ବର୍ଷରୁ କମ୍ ଶିଶୁ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ପ୍ରକାଶଥାଉକି, ପୂର୍ବରୁ ପୋକ୍ସୋ ଆଇନରେ ଶିଶୁ ଦୁଷ୍କର୍ମକାରୀଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଥିଲା। ୨୦୧୨ ମସିହାରେ ବହୁଚର୍ଚ୍ଚିତ ନିର୍ଭୟା ଘଟଣା ପରେ ଦୁଷ୍କର୍ମ ଯୋଗୁ ମୃତ୍ୟୁ ହୋଇଥିଲେ କିମ୍ବା ଜୀବନତମାମ ଚଳତ୍ଶକ୍ତିହୀନ ହୋଇଗଲେ, ମୃତ୍ୟୁଦଣ୍ଡ ପ୍ରାବଧାନ ହୋଇଥିଲା। ଏବେ ଏହି ପୋକ୍ସା ଆଇନ୍ ଆହୁରି କଠୋର ହୋଇଛି। ୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ପ୍ରତି ମୃତ୍ୟୁ ହିଁ ଉପଯୁକ୍ତ ଦଣ୍ଡବିଧାନ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/hang.jpg)