ନୂଆଦିଲ୍ଲୀ: କ୍ରମାଗତ ୫ ଦିନ ଧରି ଭାରତରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୩ ଲକ୍ଷ ଉପରେ ରହୁଥିଲା। କିନ୍ତୁ ଆଜି ଏହି ସଂଖ୍ୟା ୩ ଲକ୍ଷ ତଳକୁ କମି ୨,୫୫,୮୭୪ ବୋଲି ରେକର୍ଡ କରାଯାଇଛି। ପୂର୍ବଦିନର ୩.୦୬ ଲକ୍ଷ ତୁଳନାରେ ଏହି ସଂଖ୍ୟା ୧୬.୩୯ ପ୍ରତିଶତ କମ୍। ଆଜିର ସଂକ୍ରମଣକୁ ମିଶାଇ ଅଦ୍ୟାବଧି ଭାରତରେ ମୋଟ ସଂକ୍ରମଣ ସଂଖ୍ୟା ହେଉଛି ପ୍ରାୟ ୩.୯୮ କୋଟି ଏବଂ ସଂକ୍ରମଣ ସଂଖ୍ୟାରେ ଭାରତ ଆମେରିକା ତଳକୁ ଦ୍ବିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସକ୍ରିୟ ମାମଲା ମୋଟ ସଂକ୍ରମଣର ୫.୬୨ ପ୍ରତିଶତ ରହିଛି ଏବଂ ସୁସ୍ଥତା ହାର ସାମାନ୍ୟ ବୃଦ୍ଧି ପାଇ ୯୩.୧୫ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସକ୍ରିୟ ସଂଖ୍ୟା ୨୨,୩୬,୮୪୨ ରହିଛି।
ଦୈନିକ ପଜିଟିଭିଟି ହାର ଗତକାଲିର ୨୦.୭୫ରୁ ୧୫.୫୨ ପ୍ରତିଶତକୁ ହ୍ରାସ ପାଇଛି ଏବଂ ସାପ୍ତାହିକ ପଜିଟିଭିଟି ହାର ୧୭.୧୭ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୬୧୪ ଜଣଙ୍କର କୋଭିଡ୍-ଜନିତ ମୃତ୍ୟୁ ଘଟିଛି ଏବଂ ମହାମାରୀରେ ମୋଟ ମୃତ୍ୟୁସଂଖ୍ୟା ୪,୯୦,୪୬୨ରେ ପହଞ୍ଚିଛି।
ଦେଶର ଟିକାକରଣ ସଂଖ୍ୟା ୧୬୨.୯୨ ଡୋଜ୍କୁ ଅତିକ୍ରମ କରିଛି। ୧୮ ବର୍ଷରୁ ଊର୍ଦ୍ଧ୍ବ ଅନ୍ୟୂନ ୭୨ ପ୍ରତିଶତ ଭାରତୀୟ ସମ୍ପୂର୍ଣ୍ଣ ଟିକା ନେଇଥିବା ବେଳେ ଅନ୍ୟୂନ ୫୨ ପ୍ରତିଶତ ୧୫ରୁ ୧୮ ବର୍ଷୀୟ ତରୁଣ ଅନ୍ତତଃ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ବର୍ତ୍ତମାନ ଟିକା ଉପଲବ୍ଧ ହୋଇ ନ ଥିବାରୁ ସେମାନଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଟିକାକରଣ କରାଇଥିବା ଯାତ୍ରୀଙ୍କୁ ବ୍ରିଟେନ ବିମାନବନ୍ଦରରେ କୋଭିଡ ପରୀକ୍ଷଣର ଆବଶ୍ୟକତା ନାହିଁ
ଲଣ୍ଡନ: ଏଣିକି ବ୍ରିଟେନ ଆସୁଥିବା ଯାତ୍ରୀ ଯଦି ସମ୍ପୂର୍ଣ ଟିକାକରଣ କରାଇସାରିଛନ୍ତି ତେବେ ତାଙ୍କୁ ବିମାନବନ୍ଦରରେ କରୋନା ପରୀକ୍ଷଣ କରାଇବାକୁ ପଡ଼ିବନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତକାଲି ଏହି ସୂଚନା ଦେଇଛନ୍ତି। ଏହି ନିୟମ ଆସନ୍ତା ଫେବ୍ରୁଆରି ୧୧ରୁ ଲାଗୁ ହେବ ବୋଲି ବ୍ରିଟେନ ପରିବହନ ମନ୍ତ୍ରୀ ଗ୍ରାଣ୍ଟ୍ ସାପ୍ କହିଛନ୍ତି। ଅନେକ କରୋନା କଟକଣା ସହ ମାସ୍କ୍ ପିନ୍ଧିବା ମଧ୍ୟ ହଟାଯିବ ବୋଲି କୁହାଯାଇଛି।