ବଢ଼ୁଛି ପଜିଟିଭ୍‌ ହାର: ୮ ରାଜ୍ୟକୁ କେନ୍ଦ୍ରର ଚିଠି, ସଂକ୍ରମଣ ନିୟନ୍ତ୍ରଣ ଦିଗରେ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କର

ନୂଆଦିଲ୍ଲୀ : ଦେଶରେ କିଛି ଜିଲ୍ଲାରେ ପଜିଟିଭ୍‌ ହାର ଅତ୍ୟନ୍ତ ଅଧିକ ରହିଛି। ତେବେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଚ୍ଚ ପଜିଟିଭ୍‌ ହାର ରହୁଥିବା ୮ ରାଜ୍ୟକୁ ଚିଠି ଲେଖିଛନ୍ତି ଏବଂ ସଂକ୍ରମଣ କମିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଏହାର ବିସ୍ତୃତ ବର୍ଣ୍ଣନା କରିବାପାଇଁ କହିଛନ୍ତି। ଅରୁଣାଚଳପ୍ରଦେଶ, ମଣିପୁର, କେରଳ, ଆସାମ, ମେଘାଳୟ, ତ୍ରିପୁରା, ଓଡ଼ିଶା ଏବଂ ସିକ୍କିମ ପରି ରାଜ୍ୟମାନଙ୍କୁ କେନ୍ଦ୍ର ଚିଠି ଲେଖିଛନ୍ତି। ଏହି ସବୁ ରାଜ୍ୟମାନଙ୍କରେ ଏକାଧିକ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ରହୁଛି।

ଭୂଷଣ କହିଛନ୍ତି, ଯଦିଓ ଦେଶରେ ଦୈନିକ ସଂକ୍ରମଣ କମୁଛି କିନ୍ତୁ ସାପ୍ତାହିକ ପଜିଟିଭ୍‌ ହାରକୁ ଭଲଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି ଏବଂ ପ୍ରତି ଜିଲ୍ଲାର ସଂକ୍ରମଣକୁ ଭଲଭାବେ ଆକଳନ କରିବାକୁ ପଡ଼ିବ। କିଛି ଜିଲ୍ଲାରେ ସଂକ୍ରମଣ ବଢ଼ିବା ଏକ ବିପଦ ଲକ୍ଷଣ। ଅରୁଣାଚଳରେ ସବୁଠାରୁ ଅଧିକ ଜିଲ୍ଲାରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଅରୁଣାଚଳରେ ୨୫ଟି ଜିଲ୍ଲାରୁ ୧୯ଟିରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ଜୁନ୍‌ ୨୮ରୁ ଜୁଲାଇ ୪ ମଧ୍ୟରେ ସାପ୍ତାହିକ ପଜିଟିଭ୍‌ ହାର ୧୬.୨ ପ୍ରତିଶତ ରହିଛି। ଗତ କିଛି ସପ୍ତାହ ଧରି ରାଜ୍ୟରେ ସାପ୍ତାହିକ ସଂକ୍ରମଣ ବଢ଼ିଚାଲିଛି। ଏହା ଅତ୍ୟନ୍ତ ଚିନ୍ତାର କାରଣ। ଅରୁଣାଚଳରେ ସାପ୍ତାହିକ ସଂକ୍ରମଣରେ ୧୨ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଆସାମର ୩୩ ଜିଲ୍ଲାରୁ ୨୯ ଜିଲ୍ଲାରେ ଜୁଲାଇ ୪ରେ ଶେଷ ହୋଇଥିବା ସପ୍ତାହରେ ୧୦୦ରୁ ଅଧିକ ନୂଆ ମାମଲା ଥିଲା।

ମଣିପୁରରେ ୧୬ ଜିଲ୍ଲା‌ରୁ ୨ଟିରେ ୪ ସପ୍ତାହ ଧରି ସଂକ୍ରମଣ ବଢ଼ୁଛି। ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। କେରଳରେ ନୂଆ ମାମଲା କମୁଥିଲେ ସୁଦ୍ଧା ୨ ଜିଲ୍ଲା କୋଲ୍ଲମ ଏବଂ ୱାୟନାଡ଼ର ସାପ୍ତାହିକ ମୃତ୍ୟୁ ବଢ଼ିଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟେନ‌ମେଣ୍ଟ୍‌ ପଦକ୍ଷେପ ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ସମସ୍ତ ମାମଲା ଗୁଡ଼ିକୁ କ୍ବାରାଣ୍ଟିନ୍‌ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପୂର୍ବରେ ୬୦ ପ୍ରତିଶତରୁ ଅଧିକ ଜିଲ୍ଲାରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହୁଛି। ତେଣୁ ଗୃହ ସଚିବ ଅଜୟ ଭଲ୍ଲା ଏହିଜିଲ୍ଲାମାନଙ୍କରେ ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌ , ଟିକା ଏବଂ କରୋନା ନିୟମାବଳି ପାଳନ କରିବାକୁ କହିଛନ୍ତି। ଜଣାଯାଇଛି ଯେ ଦେଶରେ ୧୦ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ରହୁଥିବା ୭୩ ଜିଲ୍ଲା ମଧ୍ୟରୁ ୪୬ ଟି ଉତ୍ତରପୂର୍ବରେ ଅବସ୍ଥିତ।

ସମ୍ବନ୍ଧିତ ଖବର