ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟ ଲକ୍ଡାଉନ୍ ନିୟମ କୋହଳ କରୁଥିବା ବେଳେ ମଙ୍ଗଳବାର ଦିନ ‘ଆଇସିଏମ୍ଆର୍’ର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତାବଳିକୁ ଆଧାର କରି ‘ଅନ୍ଲକ୍’ ନିଷ୍ପତ୍ତି ଗ୍ରହଣ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ପ୍ରସ୍ତାବ ଦେଇଛନ୍ତି ଯେ, ଲକ୍ଡାଉନ୍ ନିୟମ ପ୍ରତ୍ୟାହାର ନିମନ୍ତେ ତିନୋଟି ବିଷୟ ପ୍ରତି ଦୃଷ୍ଟି ଦିଆଯିବା ଉଚିତ। ପ୍ରଥମତଃ ସପ୍ତାହେ ଧରି ‘ପଜିଟିଭିଟି ହାର’ ୫%ରୁ କମ୍ ରହିବା ଆବଶ୍ୟକ, ସଂକ୍ରମଣ ହେବାର ଆଶଙ୍କା ଥିବା ୭୦% ବ୍ୟକ୍ତିଙ୍କର ଟିକାକରଣ, ‘କମ୍ୟୁନିଟି-ଓନରସିପ୍ ଅଫ୍ କୋଭିଡ୍-ଆପ୍ରୋପ୍ରିଏଟ୍ ବିହେବିୟର୍’ (ଗୋଷ୍ଠୀଭିତ୍ତିକ କୋଭିଡ୍ନିରୋଧୀ ଆଚରଣ)।
ତୃତୀୟ ପ୍ରବାହ ରୋକିବା ଲାଗି ସହଜ କଥା ହେଉଛି ୫%ରୁ କମ୍ ପଜିଟିଭିଟି ହାର ଥିବା ଜିଲ୍ଲାମାନେ ସାମାନ୍ୟ ଅନ୍ଲକିଙ୍ଗ୍ ସହ ପର୍ଯ୍ୟାୟକ୍ରମେ ଖୋଲିବା ପ୍ରକ୍ରିୟା ଜାରି ରଖିବେ। ଆକ୍ରାନ୍ତ ହେବାର ଆଶଙ୍କା ଥିବା ୭୦% ଜନତାଙ୍କର ଟିକାକରଣ ହୋଇଛି ବୋଲି ସେମାନେ ସୁନିଶ୍ଚିତ ହେବା ଆବଶ୍ୟକ। ତାହା ହୋଇ ନ ଥିଲେ ସେମାନଙ୍କୁ ଟିକା ଦେବା ପରେ ‘ଅନ୍ଲକ୍’ କରାଯିବା ଆବଶ୍ୟକ।
ଡାକ୍ତର ଭାର୍ଗବ କହିଛନ୍ତି ଯେ, ଜିଲ୍ଲାସ୍ତରରେ ‘କଣ୍ଟେନ୍ମେଣ୍ଟ୍ ପଦକ୍ଷେପ’ ସବୁଦିନିଆ ସମାଧାନ ନୁହେଁ। ସୁତରାଂ, ସୁବ୍ୟବସ୍ଥିତ ଭାବେ ଅନ୍ଲକିଙ୍ଗ୍ କରିବା ଲାଗି ବନ୍ଦୋବସ୍ତ ଆବଶ୍ୟକ। କ୍ରମଶଃ ଖୁବ୍ ଧୀରେ ‘ଲକ୍ଡାଉନ୍ କୋହଳ’ କରିବା ଉଚିତ।
ଧୀରେ ଧୀରେ କଟକଣା କୋହଳ କରାଗଲେ ରାଜ୍ୟମାନେ କୋଭିଡ୍-୧୯ର ଦ୍ରୁତ ସଂକ୍ରମଣ ପ୍ରତିରୋଧ କରିବାରେ ସମର୍ଥ ହେବେ ବୋଲି ଗୁରୁତ୍ବାରୋପ କରିବା ସହ ଟିକାକରଣ ଉପରେ ଦୃଷ୍ଟି ଦେବାକୁ ଡାକ୍ତର ଭାର୍ଗବ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/unlock.jpeg)
