ନିର୍ବାଚନ ପରବର୍ତ୍ତୀ ହିଂସା, ପାଞ୍ଚ ବର୍ଷର ନାତି ସମ୍ମୁଖରେ ବୃଦ୍ଧାଙ୍କୁ ଦୁଷ୍କର୍ମ

ମାମଲା ସୁପ୍ରିମକୋର୍ଟରେ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଘଟି ଚାଲିଥିବା ହିଂସା ଚରମରେ ପହଞ୍ଚିଛି। ପୋଡ଼ାଜଳା, ବୋମାମାଡ଼, ଧମକ ଚମକ, ମାରପିଟ ଏବଂ ମହିଳାମାନଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣାକୁ ନେଇ ରାଜ୍ୟ ଚର୍ଚ୍ଚାରେ ରହିଛି। ହେଲେ ଏବେ ଏକ ଲଜ୍ଜାଜନକ ଘଟଣା ସୁପ୍ରିମ କୋର୍ଟରେ ପହଞ୍ଚିଛି। ପୂର୍ବ ମେଦିନୀପୁରର ଜଣେ ୬୦ ବର୍ଷର ବୃଦ୍ଧା ନିର୍ବାଚନ ପରେ ତାଙ୍କ ସହ ହୋଇଥିବା ହିଂସା, ତାଙ୍କ ୫ ବର୍ଷର ନାତି ସମ୍ମୁଖରେ ଦୁଷ୍କର୍ମ, ମାରପିଟ କରିବା ପରେ ଜୋରଜବରଦସ୍ତ ତାଙ୍କୁ ବିଷ ପିଆଇବା ଘଟଣାକୁ ନେଇ ନ୍ୟାୟ ପାଇଁ ପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘଟଣା ପରେ ବୃଦ୍ଧାଜଣକ ବାକ୍‌ଶୂନ୍ୟ ହୋଇଯାଇଛନ୍ତି। କେବଳ ବିଚାରପତିଙ୍କ ସମ୍ମୁଖରେ ସେ ନିଜର ବୟାନ ଦେବେ ବୋଲି କହିଛନ୍ତି।

ମେ ମାସ ୪-୫ ତାରିଖ ମଧ୍ୟରାତ୍ରିରେ ତୃଣମୂଳର କିଛି ସମର୍ଥକ ତାଙ୍କ ଘର ଭିତରକୁ ଜୋରଜବରଦସ୍ତ ପଶି ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁଣ୍ଡା ୫ ବର୍ଷର ନାତି ସମ୍ମୁଖରେ ବୃଦ୍ଧାଙ୍କୁ ଖଟରେ ବାନ୍ଧି ଦୁଷ୍କର୍ମ କରିଥିଲେ। ତା’ପରେ ସେମାନେ ତାଙ୍କୁ ଜବରଦସ୍ତ ବିଷ ପିଆଇଥିଲେ। ଏହି ଘଟଣା ପରେ ବୃଦ୍ଧାଜଣକ ଏକମାସ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ବୃଦ୍ଧାଙ୍କ ଜାମାତା ପୁଲିସକୁ କହିଛନ୍ତି, ନିର୍ବାଚନ ଫଳପ୍ରକାଶ ପରେ ତୃଣମୂଳ ଗୁଣ୍ଡାମାନେ ତାଙ୍କ ଘର ଉପରକୁ ବୋମା ଫିଙ୍ଗିଥିଲେ। ଫଳରେ ‌ତାଙ୍କ ଶାଶୂ, ପତ୍ନୀ ଓ ୫ ବର୍ଷର ପୁଅ ଘର ଛାଡ଼ି ପଳାଇଥିଲେ। ୪ ତାରିଖ ଦିନ ସେମାନେ ଘରକୁ ଫେରିଥିଲେ। ସେଦିନ ବିଳମ୍ବିତ ରାତିରେ ତୃଣମୂଳ ଗୁଣ୍ଡାମାନେ ତାଙ୍କ ଘରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କର ସମ୍ପର୍କୀୟ। ସେ ତୃଣମୂଳ ସମର୍ଥକ। ତାଙ୍କ ସହ ଢେର୍‌ ଦିନ ‌ହେଲା‌ ଜମିବାଡ଼ି ବିବାଦ ଲାଗି ରହିଛି।

ସମ୍ବନ୍ଧିତ ଖବର