କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଗତକାଲି ଭୋଟ୍‌ ଶେଷ ହେବା ପରଠାରୁ ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଲାଗି ରହିଛି । ଗତକାଲି ସନ୍ଧ୍ୟାରେ ଜଣେ ୩୫ ବର୍ଷୀୟ ବିଜେପି କର୍ମୀଙ୍କୁ ଅଜ୍ଞାତ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହାଫିଜୁର ଶେଖ୍ କାଲିଗଞ୍ଜର ଚାନ୍ଦପୁର ବାସିନ୍ଦା ଏବଂ ନିର୍ବାଚନ ପୂର୍ବରୁ ସେ ସିପିଆଇ(ଏମ୍) ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି ହତ୍ୟାକୁ ନେଇ ଆଜି ଦିନ ତମାମ ଏହି ଅଂଚଳରେ ବିଜେପି ଏବଂ ଟିଏମ୍‌ସି ସମର୍ଥକଙ୍କ ମଧ୍ୟରେ ଛକାପଂଝା ଲାଗି ରହିଛି।

Advertisment

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାଫିଜୁଲ ଜାତୀୟ ରାଜପଥ କଡ଼ରେ ପଡ଼ୋଶୀଙ୍କ ସହ କ୍ୟାରମ୍ ଖେଳୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଟିଏମ୍‌ସି ସମର୍ଥକ ଗୁଣ୍ଡାମାନେ ଏଭଳି କାଣ୍ଡ ଘଟାଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ତତ୍ପରତା ଦେଖାଉନାହିଁ ବୋଲି ବିଜେପି ଅଭିଯୋଗ କରିଛି। ହତ୍ୟାକାଣ୍ଡ ପରେ ହାଫିଜୁଲଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ରାତିସାରା ମୃତଦେହ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାଫିଜୁଲଙ୍କ ବଡ଼ ଭାଇ ସୁକୁ ଶେଖ୍ କହିଛନ୍ତି, ମୋ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଏବଂ ସ୍ଥାନୀୟ ଟିଏମ୍‌ସି ଗୁଣ୍ଡା ଏଥିରେ ସାମିଲ ଅଛନ୍ତି। ବିଜେପି ପାଇଁ ପ୍ରଚାର କରିଥିବାରୁ ସେମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି।