ନିର୍ବାଚନ ପରବର୍ତ୍ତୀ ହିଂସା, କୃଷକ ଆନ୍ଦୋଳନଠୁ ନେଇ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ୧୮ଟି ପ୍ରସଙ୍ଗରେ ଆଲୋଚନା କଲା ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ବୈଠକରେ ୩୪୨ ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ମାର୍ଚ୍ଚ ୨୦୨୦ରେ ଦେଶରେ କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ବିଜେପିର ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ। ଆସନ୍ତା ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆୟୋଜିତ ହୋଇଛି।

ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆଗତ ଏବଂ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନମଲାଇଙ୍କ ଦ୍ୱାରା ସମର୍ଥିତ ଏକ ରାଜନୈତିକ ସଂକଳ୍ପରେ ୧୮ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା, କୃଷକ ଆନ୍ଦେଳନଠୁ ନେଇ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସବୁ କିଛି ରହିଥିଲା।

ପଶ୍ଚିମବଙ୍ଗରେ ମତଦାନ ପରବର୍ତ୍ତୀ ହିଂସା

ବିଜେପିର ବୈଠକରେ ଚଳିତ ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଘଟିଥିବା ହିଂସା ଉପରେ ଆଲୋଚନା ଏବଂ ଏହାର ନିନ୍ଦା କରାଯାଇଥିଲା। ଏ ପ୍ରସଙ୍ଗରେ ଆଗତ ସଂକଳ୍ପରେ ବଙ୍ଗଳାର ରାଜନୈତିକ ହିଂସାକୁ ତୀବ୍ର ନିନ୍ଦା କରବା ସହ ଦଳ ବଙ୍ଗଳାର ପ୍ରତ୍ୟେକ କର୍ମୀଙ୍କ ପାଖରେ ଠିଆ ହେବ ଏବଂ ନ୍ୟାୟପାଳିକା ମାଧ୍ୟମରେ ସେମାନଙ୍କୁ ନ୍ୟାୟ ଦେବ।

କୃଷକ ଆନ୍ଦୋଳନ

ଶାସକ ଦଳର ଏହି ବୈଠକରେ କୃଷି କ୍ଷେତ୍ରରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ ଗୁଣ ବୃଦ୍ଧି କରାଯାଇଛି। କିଷାନ କ୍ରେଡିଟ୍‌ କାର୍ଡ ବଣ୍ଟନ କରାଯାଇଛି। ଫାର୍ମୟାର୍ଡରେ ପମ୍ପ ସ୍ଥାପିତ ହୋଇଛି। ଗତ ନଭେମ୍ବରରୁ କୃଷକମାନେ ଯେଉଁ ତିନିଟି ବିବାଦୀୟ କୃଷି ଆଇନ ବିରୋଧରେ ବିକ୍ଷୋଭପ୍ରଦର୍ଶନ କରୁଛନ୍ତି, ସେ ସଂପର୍କରେ ନିର୍ମଳା ସୀତାରମଣ କହିଛନ୍ତି, ଆମେ ଆଲୋଚନା ପାଇଁ ଦ୍ୱାର ଖୋଲା ରଖିଛୁ। ଦୟାକରି ଆମକୁ କୁହନ୍ତୁ ଆପଣ ଆଇନରେ କ’ଣ ବିରୋଧ କରୁଛନ୍ତି? ଆମେ କୃଷକମାନଙ୍କ କଥା ଶୁଣିବାକୁ ଇଚ୍ଛୁକ। ଗତ ବର୍ଷ ଲକଡାଉନ୍‌ ଘୋଷଣା ହେବା ପରେ ଏବଂ ୮୦ କୋଟି ଲୋକଙ୍କ ନିମନ୍ତେ ଆଠ ମାସ ପାଇଁ ମାଗଣା ଖାଦ୍ୟ ଯୋଗାଇବା ପାଇଁ ଦଳ ଏହାର ସରକାରଙ୍କୁ ପ୍ରଶଂସା କରିଥିଲା।

ଜଳବାୟୁ ପରିବର୍ତ୍ତନ

ଗ୍ଲାସଗୋରେ ହୋଇଥିବା ସିଓପ୨୬ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶ ଉପରେ ଆଲୋଚନା ହୋଇଥିଲା। ଦଳ ଜଳବାୟୁ ପରିବର୍ତ୍ତନ ଉପରେ ଭାରତର ଆନ୍ତର୍ଜାତୀୟ ସ୍ଥିତି ଏବଂ ୨୦୩୦ ଏବଂ ୨୦୭୦ ପାଇଁ ଦେଶର ଦାୟିତ୍ୱ କିପରି ପୂରଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲା। ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ’ପଞ୍ଚମୃତ’କୁ ଏକ ନୂତନ ଦିଗ ଭାବରେ ଆଲୋଚନା କରାଯାଇଥିଲା ଯାହା ଭାରତର ପ୍ରତିବଦ୍ଧତାକୁ ମଜବୁତ କରିଥିଲା।

ଜମ୍ମୁ- କଶ୍ମୀର

ବିଜେପିର ବୈଠକରେ ଦାବି କରାଯାଇଥିଲା ଯେ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ- କଶ୍ମୀରରେ ବିକାଶର ଗତି ବୃଦ୍ଧି ପାଇଛି। ଜମ୍ମୁ- କଶ୍ମୀରରେ ୨୦୦୪ରୁ ୨୦୧୪ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥବା ବେଳେ ହୋଇଥିବା ସମୟ ତୁଳନାରେ ୨୦୧୪ ରୁ ୨୦୨୧ମଧ୍ୟରେ ଏଥିରେ ହ୍ରାସ ଘଟିଛି। ୨୦୦୪ରୁ ୨୦୧୪ ମଧ୍ୟରେ ୨୦୧୮  ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ୨୦୧୪ରୁ ସେପ୍ଟେଟର ୨୦୨୧ ମଧ୍ୟରେ ୨୩୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ବିଜେପି ଦାବି କରିଛି।

ଆଗାମୀ ନିର୍ବାଚନ

ଏହି ବୈଠକରେ ବିଜେପି ୨୦୨୨ରେ ଭାରତର ପାଞ୍ଚଟି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ସଂକଳ୍ପ ନେଇଥିଲା। ଆଗାମୀ ନିର୍ବାଚନ ସମୟରେ ବୁଥସ୍ତରରେ ଦଳ କିପରି କାର୍ଯ୍ୟ କରିବେ ସେ ବିଷୟରେ ଦଳର ସଦସ୍ୟମାନେ ଆଲୋଚନା କରିଥିଲେ। ଏଥିସହ କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ ନିକଟରେ ଅନୁଷ୍ଠିତ ନିର୍ବାଚନ ଓ ଉପ ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ଆଲୋଚନା ହୋଇଥିଲା। ପଞ୍ଜାବରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ବିଜେପି ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ୍‌ -୧୯

କୋଭିଡ୍‌ ମହାମାରୀ ସମ୍ପର୍କରେ ବିଜେପିର ଏହି ବୈଠକରେ ଆଲୋଚନା ହୋଇଥିଲା। ଦେଶରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଯୋଗୁଁ ବିଦେଶରେ ଭାରତର ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ଦାବୀ କରାଯାଇଥିଲା।

ଅନ୍ୟ ପ୍ରସଙ୍ଗ

ଏହି ବୈଠକରେ ଆଲୋଚନା ହୋଇଥିବା ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା, ଭାରତର ଯୁବବର୍ଗ, ସ୍ୱଚ୍ଛ ଭାରତ ଅଭିଯାନ, ମିଶନ ପାମ ତେଲ, ବୈଦେଶିକ ନୀତି, ଆତ୍ମନିର୍ଭର ଅଭିଯାନ ଏବଂ ଅଜାଦି କା ଅମୃତ ମହୋତ୍ସବ ଅନ୍ତର୍ଭୁକ୍ତ ରହିଥିଲା।

ସମ୍ବନ୍ଧିତ ଖବର