ଭୁବନେଶ୍ୱର: ଦିନକୁ ଦିନ ଆମ ଯୋଗାଯୋଗର ମାଧ୍ୟମ ବଦଳିଛି | ଦିନେ ଯେତେବେଳେ ଯୋଗାଯୋଗ ପାଇଁ ଚିଠିର ବହୁଳ ବ୍ୟବହାର ଥିଲା, ଆଜି ଏହାର ସ୍ଥାନ ନେଇଛି ମୋବାଇଲ ଫୋନ | ଆଜି ଯେମିତି ମୋବାଇଲରେ କଥା ହେବା ପାଇଁ ରିଚାର୍ଜ କରିବାକୁ ପଡୁଛି ସେବେ ସେମିତି ଚିଠି ପଠାଇବାକୁ ହେଲେ ଡାକ ଟିକଟ ଲଗାଇବାକୁ ପଡୁଥିଲା | ଦିନକୁ ଦିନ ଚିଠିର ବ୍ୟବହାର କମିବା ସହ ଡାକ ଟିକଟର ମଧ୍ୟ ଚାହିଦା କମିଗଲା | ତେବେ ନୂଆ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଡାକ ଟିକଟ ସହ ଅବଗତ କରାଇବାକୁ ଏବେ ଡାକ ମନ୍ତ୍ରାଳୟ ନୂଆ ଉପାୟ ଆପଣାଇଛି | ଡାକ ବିଭାଗ ଏବେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଛି |
ବାସ୍ତବରେ ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘‘ଦୀନ ଦୟାଲ ସ୍ପର୍ଶ ଯୋଜନା’’ର ଶୁଭାରମ୍ଭ କରାଯାଇଛି । ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଏବଂ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦/- ଟଙ୍କା ଓ ମାସିକ ୫୦୦/-ଟଙ୍କାର ବୃତ୍ତି ଦିଆଯିବ । ପ୍ରଥମସ୍ତରର ପ୍ରତିଯୋଗିତା ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ଏବଂ ଦ୍ୱିତୀୟ ସ୍ତରର ପ୍ରତିଯୋଗିତା ଭାବେ ଡାକ ଟିକେଟ୍ ସଂଗ୍ରହ ପ୍ରକଳ୍ପକୁ ଆଧାର କରି ଅନ୍ତିମ ପ୍ରାର୍ଥୀ ଚୟନ କରାଯିବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଦିଷ୍ଟ ଡାକ ପ୍ରଭାଗ ମାଧ୍ୟମରେ ଆବେଦନ ପ୍ରାପ୍ତିର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୪ ରଖାଯାଇଛି । ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇଁ ପ୍ରାରମ୍ଭିକ ତାରିଖ ୨୯ ସେପ୍ଟେମ୍ବର, ୨୦୨୪ ରଖାଯାଇଛି ।