ବସ୍ତି: ଯେତେ ବି ସୁରକ୍ଷା ବ୍ୟବସ୍ଥା କରାଯାଉ, ୫ରୁ ୬ ଦିନ ଭିତରେ ବଡଧରଣର ଡକାୟତି କରିବୁ | ସ୍ଥାନୀୟ ଅଂଚଳରେ ଏଭଳି ପୋଷ୍ଟର ଲାଗିବା ପରେ ପୁଲିସର ନିଦ ଉଡିଯାଇଛି | ଉତ୍ତରପ୍ରଦେଶର ସୋନାହା ପୁଲିସ ଷ୍ଟେସନ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି | ୫ ରୁ ୬ ଦିନ ମଧ୍ୟରେ ବଡଧରଣର ଡକାୟତି କରାଯିବ ବୋଲି ପୋଷ୍ଟରରେ କୁହାଯାଇଛି। ପୁଲିସ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ କିଛିଦିନ ତଳେ ପ୍ରଥମ ପୋଷ୍ଟର ଦେଖିବାକୁ ମିଳିଥିଲା | ଆଉ ପୋଷ୍ଟର ପରେ ଏହାକୁ ହାଲୁକା ଭାବେ ପୁଲିସ ନେଇଥିଲା |
ତେବେ ଏହାର କିଛିଦିନ ପରେ ଦୁଇଟି ବଡଧରଣର ଡକାୟତି ପରେ ପୁଣି ପୋଷ୍ଟର ଲାଗିଛି | ଆଉ ଏହାପରେ ପୁଲିସର ନିଦ ଉଡିଯାଇଛି | ତେବେ ଚୋରି ହେବାର ଭୟ ଥିବାରୁ ଲୋକମାନେ ମଧ୍ୟ ରାତିରେ ଗାଁ ଜଗି ରହିବା ଆରମ୍ଭ କରିଦେଇଛନ୍ତି । ଏନେଇ ଜିଲ୍ଲା ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସେ ତଦନ୍ତକୁ ଜୋରଦାର କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ପୋଷ୍ଟର ମାଧ୍ୟମରେ ଧମକ ଯୋଗୁଁ ଗାଁରେ ଆତଙ୍କ ଖେଳିଯାଇଛି। ଲୋକମାନେ ଭୟ ହେତୁ ରାତିରେ ଶୋଇପାରୁ ନାହାଁନ୍ତି | ପୋଷ୍ଟରରେ ଚୋରମାନେ ସିଧାସଳଖ ଚ୍ୟାଲେଞ୍ଜ କରି ଲେଖିଥିଲେ ଯେ ଆମେ ସମସ୍ତେ ଏକ ସପ୍ତାହ ମଧ୍ୟରେ ବଡ ଧରଣର ଡକାୟତି କରିବୁ।