ନୂଆଦିଲ୍ଲୀ: ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି କାମନା କରି ସୋମବାର ଦିନ ରାଷ୍ଟ୍ରୀୟ ଜନତା ଦଳର (ଆର୍ଜେଡି) କର୍ମୀମାନେ ପୋଷ୍ଟର୍ ଲଗାଇଛନ୍ତି। ଏକ୍ଜିଟ୍ ପୋଲ୍ ଫଳାଫଳଦ୍ବାରା ପ୍ରଭାବିତ ହୋଇ ତେଜସ୍ବୀଙ୍କ ଜନ୍ମଦିନ ଅବସରରେ ‘ଆର୍ଜେଡି’ ସମର୍ଥକମାନେ ପାଟନାରେ ଏହି ପୋଷ୍ଟର୍ ସବୁ ଲଗାଇଥିବା ଜଣାପଡ଼ିଛି।
ପୋଷ୍ଟର୍ରେ ଉଲ୍ଲେଖ ଅଛି: ବିହାରର ସର୍ବକିନିଷ୍ଠ ଭାବି ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜନ୍ମ ଦିନର ଶୁଭେଚ୍ଛା।
ଯଦି ୩୧ ବର୍ଷିୟ ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହୁଅନ୍ତି, ସେ ହେବେ ଦେଶରେ କୌଣସି ରାଜ୍ୟର ଶୀର୍ଷ ପଦବୀ ଅଳଙ୍କୃତ କରିଥିବା ସର୍ବ କନିଷ୍ଠ ବ୍ୟକ୍ତିବିଶେଷ। ୧୯୬୭ରେ ଏମ୍ଓଏଚ୍ ଫାରୁକ୍ ୨୯ ବର୍ଷ ବୟସରେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୮ରେ ୩୨ ବର୍ଷ ବୟସରେ ସତୀଶପ୍ରସାଦ ସିଂହ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।
/sambad/media/post_attachments/wp-content/uploads/2020/11/tejaswi.jpg)
ଫଳାଫଳ ଯାହା ହେଉ ନା କାହିଁକି ଆନନ୍ଦ ପ୍ରଦର୍ଶନ ପାଇଁ ଗୁଳି ଫୁଟାଇବା ଏବଂ ପ୍ରତିଦ୍ବନ୍ଦ୍ବୀମାନଙ୍କ ପ୍ରତି ଅଶିଷ୍ଟ ଆଚରଣ ପ୍ରଦର୍ଶନରେ ଲିପ୍ତ ନ ହେବାକୁ ‘ଆର୍ଜେଡି’ ତା’ର କର୍ମୀମାନଙ୍କୁ ଚେତାବନୀ ଦେବା ପରଦିନ ଏହି ପୋଷ୍ଟର୍ ସବୁ ପ୍ରଦର୍ଶୀତ ହୋଇଛି। ରବିବାର ଦିନ ‘ଆର୍ଜେଡି’ କହିଥିଲା, ନଭେମ୍ବର ୧୦ ତାରିଖ ଦିନ ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି, ତାହାକୁ ପୂର୍ଣ୍ଣ ସଂଯମ, ନିରାଡମ୍ବର ଏବଂ ସମ୍ମାନର ସହ ଗ୍ରହଣ କରାଯିବା ଉଚିତ। ଆମର ପ୍ରତିଦ୍ବନ୍ଦ୍ବୀ କିଂବା ତାଙ୍କ ସମର୍ଥକମାନଙ୍କ ପ୍ରତି ଆତସବାଜି ପ୍ରଦର୍ଶନ, ଆନନ୍ଦସୂଚକ ଗୁଳି ଚାଳନା ଏବଂ ଅଶିଷ୍ଟ ଆଚରଣ ଭଳି ଅନୈତିକ କାର୍ଯ୍ୟ କୌଣସିମତେ ଗ୍ରହଣ କରାଯାଇ ପାରିବ ନାହିଁ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଏଥର ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ବିଜୟ ହାସଲ କରିବ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ରୁ ଜଣାପଡ଼ିଛି।