ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍

ନୂଆଦିଲ୍ଲୀ : ଆପଣଙ୍କ ଚିର ପରିଚିତ ଡାକବାଲା ବା ପୋଷ୍ଟମ୍ୟାନ ଏଣିକି ଆଉ ଏକ ଜରୁରୀ ସେବା ଯୋଗାଇବେ । ତାହା ହେଉଛି ଆଧାର ସମ୍ପର୍କିତ ସେବା ।  ସେମାନେ ଆପଣଙ୍କ ଘରକୁ ଯାଇ ଆଧାର ଓ ମୋବାଇଲ ନମ୍ବର ଲିଙ୍କ୍, ଛୋଟ ପିଲାମାନଙ୍କର ଆଧାର ପଂଜୀକରଣ, ଆଧାର ତଥ୍ୟ ଅପଡେଟ୍ ଆଦି କାର୍ଯ୍ୟ କରିପାରିବେ । ଏସବୁ କାର୍ଯ୍ୟ ପାଇଁ ଆପଣଙ୍କୁ ଏବେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ୁଛି । କିନ୍ତୁ ଗ୍ରାମାଞ୍ଚଳ ଲୋକେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁ ସେବା ଏବେ ଆପଣଙ୍କ ଘରେ ପହଞ୍ଚିବ ।

ମିଳିଥିବା ସୂଚନା ଅନୁସାରେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏବେ ସାରା ଦେଶରେ ପ୍ରାୟ ୪୮ ହଜାର ପୋଷ୍ଟମ୍ୟାନଙ୍କୁ ତାଲିମ ଦିଆଯାଉଛି । ସେମାନେ ଯେପରି ଦୂର ଅପହଞ୍ଚ ଇଲାକାରେ ପହଞ୍ଚି ଆଧାର ସେବା ଯୋଗାଇପାରିବେ । ଏହି କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ଆଉ ଦେଢ ଲକ୍ଷ ପୋଷ୍ଟାଲ ଅଫିସରଙ୍କୁ ତାଲିମ ଦିଆଯିବ ।

ଦେଶର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଚଳାଇଥିବା କାର୍ଯ୍ୟକ୍ରମ ଅଧିନରେ ଏସବୁ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଯୋଜନା ସଫଳ ହେଲେ ଦେଶର ଅପହଞ୍ଚ ଅଂଚଳର ଲୋକମାନଙ୍କର ଆଧାର ପଂଜୀକରଣ ସମ୍ଭବ ହୋଇପାରିବ ।

 

 

ସମ୍ବନ୍ଧିତ ଖବର