ବିଜୟୱାଡା: ଘଟଣାର ୧୨ବର୍ଷ ପରେ ଏବେ ପୁଣି ଥରେ ପ୍ରକୃତ ଘଟଣାର ସନ୍ଧାନ ଆରମ୍ଭ କରିଛି ଯାଞ୍ଚ ଟିମ୍। ୧୨ବର୍ଷ ତଳେ ଯେଉଁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା, ଏବେ ସେହି ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଯାଞ୍ଚ ଟିମ୍ ସନ୍ଧାନ ଆରମ୍ଭ କରିଥିବା ବୋଲି ଜଣା ପଡ଼ିଛି। ଶନିବାର ଯାଞ୍ଚ ଟିମ୍ ପୀଡ଼ିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିଲ୍ଲୀର ଏକ ଫରେନସିକ୍ ଟିମ୍ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ତେନାଲି ସହରରେ ଥିବା କବରସ୍ଥାନକୁ ଯାଇ ବ୍ୟବଚ୍ଛେଦ ଆରମ୍ଭ କରିଛି।
ସୂଚନା ମୁତାବକ, ଡିସେମ୍ବର ୨୭, ୨୦୦୭ରେ ଜଣେ ଛାତ୍ରୀଙ୍କୁ ଏକ ଘରୋଇ ହଷ୍ଟେଲରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ତାଙ୍କ ଶରୀରରେ ଅନେକ କ୍ଷତ ସ୍ଥାନ ଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଶବକୁ ଜବତ କରିଥିଲା ପୁଲିସ। ତେବେ ଏହି ଘଟଣା ପରେ ସେ ସମୟରେ ଥିବା ମନ୍ତ୍ରୀଙ୍କ ପରିବାରର ଜଣେ ବ୍ୟକ୍ତି ସାମିଲ ଥିବାରୁ କୌଣସି ଦୋଷ ନ ଥିବା ବ୍ୟକ୍ତିଙ୍କୁ ହାଜତକୁ ପଠାଯାଇ ଦଣ୍ଡ ଦିଆଯାଇଥିଲା। ତେବେ ପୀଡ଼ିତାଙ୍କ ପରିବାର ଏହାକୁ ବିରୋଧ କରିବା ସହ ପ୍ରକୃତ ଦୋଷୀ ଏବେ ବି ବାହାରେ ବୁଲୁଥିବା ଅଭିଯୋଗ କରିଥିଲେ। ଯାହା ଉପରେ ପୁନଃ ଯାଞ୍ଚ କରାଯାଇ ଜେଲରେ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପ୍ରମାଣ ହୋଇଥିଲା। ୨୦୧୦ରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ଯୁବକକୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ବେଳେ ୨୦୧୭ରେ ହାଇଦ୍ରାବାଦ ହାଇକୋର୍ଟ ତାଙ୍କୁ ନର୍ଦ୍ଦୋଷରେ ଖଲାସ କରିଥିଲେ। ଏହା ସହ ଭୁଲ ତଥ୍ୟ ଦେଇଥିବାରୁ ସାମିଲ ଥିବା ପୁଲିସକର୍ମୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା।
ଏବେ ପ୍ରକୃତ ଦୋଷୀକୁ ଖୋଜିବା ପାଇଁ ରାଜ୍ୟ ସରକାର ବିଶେଷ ଯାଞ୍ଚ ଟିମ୍ ତିଆରି କରିଥିବା ବେଳେ ମଙ୍ଗଳବାର କବରସ୍ଥାନରୁ ପୀଡ଼ିତାଙ୍କ ଶବ କଢ଼ାଯାଇ ତଦନ୍ତ ଆରମ୍ଭ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/qq-18.jpg)