ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ଶାସିତ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉତ୍ପାଦିତ କୃଷିଦ୍ରବ୍ୟର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଏହାକୁ ବିରୋଧ କରି ଆଜି କୃଷକମାନେ ଅଭିନବ ଆନ୍ଦୋଳନ କରିଛନ୍ତି। ଭୋରରୁ ବିଧାନସଭା ସମ୍ମୁଖରେ ଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ କୁଇଣ୍ଟାଲ କୁଇଣ୍ଟାଲ ପଚାଆଳୁ ଗଦା କରିଦେଇଥିବା ସହ ତାଙ୍କ ବାସଭବନ ଉପରକୁ ଆଳୁ ମାଡ କରିଥିବା ଦେଖିବାକୁ ମିଳିଥିଲା। ପଚା ଆଳୁ ଦୁର୍ଗନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବା ମଧ୍ୟ କଷ୍ଟସାଧ୍ୟ ବୋଲି ସେଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ଗାର୍ଡ କହିଛନ୍ତି। କେବଳ ଯେ ଯୋଗୀ ଆଦିତ୍ୟନାତଙ୍କ ବାସଭବନ ନୁହେଁ ବରଂ ରାଜ୍ୟପାଳ ରାମ ନାଏକଙ୍କ ଘରକୁ ମଧ୍ୟ ଆଳଭୁ କାଡ ହେବା ସହ ଘର ଆଗରେ ଆଳୁ ଗଦା ଦେଖିବାକୁ ମିଳିଥିଲା। ମିଳିଥିବା ଖବର ମୁତାବକ,ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ଆଳୁ ଉତ୍ପାଦନକାରୀ କୃଷକ ଟ୍ରକ ଏବଂ ଟ୍ରଲିରେ ପଚା ଆଳୁ ଆଣି ବିଧାନସଭା ମାର୍ଗ ଉପରେ ଢାଳିଦେଇଥିଲେ। ପରେ ସେହି ପଚା ଆଳୁକୁ ଉତ୍ୟକ୍ତ ଚାଷୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାସଭବନ ଉପରକୁ ମାଡ କରିଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ଲକ୍ଷ୍ନୌ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଆଳୁ ଆସିଥିବା ଟ୍ରକ ଏବଂ ଟ୍ରଲି ଗୁଡିକ ସହ ବିଦ୍ରୋହୀ କୃଷକଙ୍କ ପରିଚୟ ଜଣାପଡିଥିବା ବେଳେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ବର୍ତ୍ତମାନ ସ୍ଥିତିରେ ଆଳୁ କିଲୋ ପ୍ରତି ପଇସା ମୂଲ୍ୟରେ ବିକ୍ରି କରାଯାଉଛି। କୃଷକ ମାନେ ଏନେଇ ବିରୋଧ କରିବା ସହ ଆଳୁ କିଲୋ ପ୍ରତି ୧୦ ଟଙ୍କା କରିବାକୁ ନିବେଦନ କରିଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଅସନ୍ତୁଷ୍ଟ କୃଷକମାନେ କେବଳ ମାତ୍ର ଲକ୍ଷ୍ନୌ ନୁହେଁ ସମଗ୍ର ରାଜ୍ୟରେ ଏନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି।
ଅଭାବୀ ବିକ୍ରି: ଯୋଗୀଙ୍କ ଘର ଆଗରେ ଆଳୁ ଗଦାକଲେ କୃଷକ
/sambad/media/post_attachments/wp-content/uploads/2018/01/p18_patato.jpg)
/sambad/media/agency_attachments/2024-07-24t043029592z-sambad-original.webp)