ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାପାଇଁ ଏନ୍‌ସିପି ସୁପ୍ରି‌ମୋ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଦୁଇଟି ସର୍ତ୍ତ ରଖିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ପାୱାରଙ୍କ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ବିଜେପିକୁ ପାୱାର ସମର୍ଥନ ଦେଇନଥିଲେ ବୋଲି ଆଜି ତଥ୍ୟ ପ୍ରଘଟ ହୋଇଛି। ଶରଦ ପାୱାରଙ୍କ ପ୍ରଥମ ସର୍ତ୍ତ ଥିଲା ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ କେନ୍ଦ୍ରରେ କୃଷି ମନ୍ତ୍ରୀ ପଦ ଏବଂ ଦ୍ବିତୀୟଟି ସେ ଦେବେନ୍ଦ୍ର ଫଡନାବିସଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରିବାକୁ ଚାହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାୱାରଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ପାୱାର ବିଜେପିକୁ ସମର୍ଥନ କରିନଥିଲେ। ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ଯଦି ବିଜେପି ପକ୍ଷରୁ ଏନ୍‌ସିପିକୁ କୃଷି ମନ୍ତ୍ରାଳୟ ଦିଆଯାଇଥାନ୍ତା ତେବେ ବିହାରରେ ଏହାର ମେଣ୍ଟ ସହଯୋଗୀ ଜେଡିୟୁ ରେଳ ମନ୍ତ୍ରାଳୟ ଦାବି କରିଥାନ୍ତା। ଏଭଳି ଏକ ସ୍ଥିତିରେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ବିଜେପିକୁ ଦୁଇଟି ବଡ଼ ମନ୍ତ୍ରାଳୟ ହରାଇବାକୁ ପଡ଼ିଥାନ୍ତା। ଫଳରେ ବି‌ଜେପି ଏଥି‌ରେ ରାଜି ହୋଇନଥିଲା। ଅନ୍ୟପକ୍ଷେ ପାୱାରଙ୍କ ଦ୍ବିତୀୟ ଦାବି ଅନୁଯାୟୀ ବିଜେପି ଫଡନାବିସଙ୍କ ଛଡ଼ା ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିନଥିଲେ। କାରଣ ଫଡନାବିସ ୫ ବର୍ଷ ଦୁର୍ନୀତିମୁକ୍ତ ଏବଂ ନିର୍ବିବାଦୀୟ ରହି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ ଫଡନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ତେଣୁ ଏନ୍‌ସିପି ସୁପ୍ରିମୋଙ୍କ ଦାବି ଗ୍ରହଣ କରିବା ବିଜେପି ପକ୍ଷେ କଷ୍ଟକର ହୋଇଥିଲା। ଏକ ସୂତ୍ରରୁ ଜଣାପଡ଼ିଛି ଯେ ପାୱାର ତାଙ୍କ ଦାବି ସଂକ୍ରାନ୍ତରେ ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ବାର୍ତ୍ତା ପଠାଇଥିଲେ। ବିଜେପି ଏହାକୁ ଗ୍ରହଣ ନକରିବାରୁ ପାୱାର ଗତ ନଭେମ୍ବର ୨୦ ତାରିଖରେ ମୋଦୀଙ୍କ ସହ ପ୍ରାୟ ୫୦ ମିନିଟ୍‌ ପର୍ଯ୍ୟନ୍ତ ଏକ ବୈଠକ କରିଥିଲେ। କିନ୍ତୁ ଏହ‌ି ବୈଠକରେ ମଧ୍ୟ ମୋଦୀ ପାୱାରଙ୍କ ଦାବିରେ ରାଜି ହୋଇନଥିଲେ। ଫଳରେ ପାୱାର ଶିବସେନା ଏବଂ ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିବାପାଇଁ ନିଷ୍ପତ୍ତି ନେଲେ।

Advertisment