ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କୋଇଲା ସଂକଟ ଦେଖାଦେବା ପରେ ଭାରତୀୟ ରେଳବାଇ ଗୁଡ଼ାଏ ଟ୍ରେନ୍ ଚଳାଚଳକୁ ବାତିଲ ଘୋଷଣା କରିଥିବା ବେଳେ ଏବେ ସେହି ବାତିଲ୍ ପ୍ରକ୍ରିୟା ଜାରି ରହିଛି। ଜାଣିବାକୁ ମିଳିଛି ଯେ ମେ ୨୪ ତାରିଖ ସୁଦ୍ଧା ପ୍ରାୟ ୧,୧୦୦ ଟ୍ରେନ୍କୁ ବାତିଲ୍ କରାଯାଇଛି। ହିଟ୍ୱେଭ୍ କାରଣରୁ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର କୋଇଲା ଅଭାବର ଏକ ପ୍ରମୁଖ କାରଣ ପାଲଟିଛି। କୋଇଲାବାହୀ ଗାଡ଼ି ଚଳାଚଳ ସଂଖ୍ୟା ବୃଦ୍ଧି କରାଯାଇଥିବା କାରଣରୁ ଯାତ୍ରୀବାହୀ ଟ୍ରେନ୍କୁ ବାତିଲ୍ କରାଯାଉଛି।
ସୂଚନା ରହିଛି ଯେ ଏକ୍ସପ୍ରେସ୍ ଟ୍ରେନ୍ର ୫୦୦ ଟ୍ରିପ୍ ଓ ପାସେଞ୍ଜର ଟ୍ରେନ୍ର ୫୮୦ ଟ୍ରିପ୍ ବାତିଲ ହୋଇଛି। ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି ଯେ ୪୦୦ କୋଇଲାବାହୀ ଗାଡ଼ି ଚଳାଚଳ ସକାଶେ ୨୪୦ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି।
ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖାଦେବା ପରେ କୋଇଲା ଖଣି କର୍ମଚାରୀମାନେ ଷ୍ଟ୍ରାଇକ୍ କରିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍ ସମସ୍ୟାର ମୁକାବିଲା କରିବାକୁ ବିଭିନ୍ନ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କାରଖାନାକୁ ଯଥେଷ୍ଟ ପରିମାଣରେ କୋଇଲା ଯୋଗାଇ ଦିଆଯିବ।
ବିଶେଷ କରି ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ କୋଇଲା ଅଭାବ ଦେଖିବାକୁ ମିଳିଛି। ରିପୋର୍ଟରୁ ଜଣାଯାଇଛି କି ୧୭୩ ତାପଜ ବିଦ୍ୟୁତ ଉତ୍ପାଦନ କାରଖାନା ମଧ୍ୟରୁ ୧୦୮ କାରଖାନାରେ କୋଇଲାର ଅଭାବ ପରିଲକ୍ଷିତ ହୋଇଛି। ଯାତ୍ରୀବାହୀ ଟ୍ରେନ୍ ବାତିଲ କରି ବିଭିନ୍ନ ରାଜ୍ୟକୁ ବହୁ ପରିମାଣରେ କୋଇଲା ଯୋଗାଇବା ଦ୍ବାରା ସମସ୍ୟାକୁ ସମାଧାନ କରାଯିବାର ଲକ୍ଷ୍ୟ ରହିଛି।