ଶିବସେନା ସହ ହାତ ମିଳାଇବେ ପାୱାର! ସମର୍ଥନ ପାଇଁ କଂଗ୍ରେସ ବି ପ୍ରସ୍ତୁତ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବ‌ାଚନ ଫଳାଫଳ ପ୍ରକାଶ ପାଇବାରେ ସପ୍ତା‌ହେ ବିତିଗଲାଣି, କିନ୍ତୁ ଦୁଇ ସହଯୋଗୀ ବିଜେପି ଏବଂ ଶି‌ବ‌ସେନା ମଧ୍ୟରେ ମତଭେଦ ଯୋଗୁଁ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁନାହିଁ। କ୍ଷମତା ବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଚାଲିଥିବାବେଳେ ଆଜି ରାଜ୍ୟ ରାଜନୀତିରେ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି। ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ଶରଦ ପାୱାରଙ୍କ ଦଳର ନେତା ଯେଉଁ ବୟାନ ଦେଇଛନ୍ତି ‌ସେଥିରୁ ଜଣାପଡ଼ୁଛି ଯେ ଆବଶ୍ୟକ ପଡ଼ିଲେ ତାଙ୍କ ଦଳ ସରକାର ଗଠନ ପାଇଁ ଅନ୍ୟମାନଙ୍କ ସହିତ ହାତ ମିଳାଇପାରେ। କେବଳ ଏତିକି ନୁହେଁ, କଂଗ୍ରେସ ମଧ୍ୟ ଅନୁରୂପ ସୂଚନା ଦେଇଛି।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ସହ ଟଣାଓଟରା ଚାଲିଥିବା ବେଳେ ସଂଜୟ ରାଉତ ଆଜି ହଠାତ ପାୱାରଙ୍କ ଘରେ ପହଂଚିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦୀପାବଳି ଶୁଭେଚ୍ଛା ଜଣାଇବା ଲାଗି ‌ସେ ପାୱାରଙ୍କୁ ଭେଟିଥିଲେ। ଏହା ସହିତ ସେ ସ୍ବୀକାର କରିଥିଲେ ଯେ ସାକ୍ଷାତ ବେଳେ ରାଜ୍ୟ ରାଜନୀତି ସଂପର୍କରେ ମଧ୍ୟ ଆଲୋଚନା ହୋଇଛି। ତେବେ ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ। ଅନ୍ୟପକ୍ଷରେ ଏହି ସାକ୍ଷାତ ଆଲୋଚନା ପରେ ପାୱାରଙ୍କ ଦଳର ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି ଯେ ସରକାର ଗଠନ କରିବାରେ ବିଜେପି ବିଫଳ ‌ହେଲେ ତାଙ୍କ ପାର୍ଟି କ୍ଷମତା ଦୌଡ଼ରେ ସାମିଲ ହେବ। ସର୍ବାଧିକ ଆସନ ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିବା ଉଚିତ। ଆସ୍ଥା ଭୋଟରେ ଏହା ପରାଜିତ ହେଲେ ତାଙ୍କ ଦଳ ଏନ୍‌ସିପି ସରକାର ଗଠନ ପାଇଁ ଦାବି ଜଣାଇବ। ଏ ସଂର୍କରେ ଅଧିକ କହିବାକୁ ସେ ମଧ୍ୟ ମନା କରି ଦେଇଛନ୍ତି। ଇତିମଧ୍ୟରେ ସାଂପ୍ରତିକ ପରିସ୍ଥିତି ନେଇ କଂଗ୍ରେସ ମଧ୍ୟ ଉତ୍ସାହିତ ହୋଇଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ସରକାର ଗଠନ ପ୍ରସଙ୍ଗରେ ଶିବସେନା ପକ୍ଷରୁ କୌଣସି ପ୍ରସ୍ତାବ ଆସିଲେ ଏହା ଉପରେ ବିଚାର କରାଯିବ। ଏଭଳି ପ୍ରସ୍ତାବକୁ ହାଇକମାଣ୍ଡଙ୍କ ନିକଟକୁ ପଠାଯିବ ବୋଲି ଦଳର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନ‌େ‌ର ୨୮୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ସହଯୋଗୀ ଶିବସେନାକୁ ୫୬ ଆସନ ମିଳିଛି। ପାୱାରଙ୍କ ଏନ୍‌ସିପି ୫୪ ଆସନ ପାଇଥିବାବେ‌ଳେ କଂଗ୍ରେସକୁ ୪୪ ଆସନ ମିଳିଛି। ଅନ୍ୟମାନେ ୨୯ଟି ଆସନରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର