ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ପ୍ରମାଣ କରିଦେଇଛନ୍ତି ଯେ ସେ ‌ହିଁ ମହାରାଷ୍ଟ୍ର ରାଜନୀତିର ପ୍ରକୃତ ବସ୍‌। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଶରଦ ପାୱାର ବର୍ଷାରେ ଓଦା ହୋଇ ସତରାରେ ଏକ ନିର୍ବାଚନୀ ରୢାଲି‌ରେ ଉଦ୍‌ବୋଧନ ଦେଇଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ପାୱାରଙ୍କ ଦଳକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୪ ଆସନ ମିଳିଥିଲା। ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାଟରେ ଅନେକ ପ୍ରତିବନ୍ଧକ ସ‌ତ୍ତ୍ବେ ସେ ଦଳକୁ ୫୪ ଆସନରେ ଜିତାଇବାକୁ ସକ୍ଷମ ହୋଇଥିଲେ। ଆଜି ପୁଣିଥରେ ମହାରାଷ୍ଟ୍ର ରାଜନୀତିର ମୋଡ଼ ବଦଳିବା ସହ ପାୱାର ପ୍ରମାଣ କରିଦେଇଛନ୍ତି ଯେ ସେ ହିଁ ମହାରାଷ୍ଟ୍ରରେ ପ୍ରକୃତ ବସ୍‌। ରାଜନୀତି ହେଉ କି କ୍ରିକେଟ୍‌ ସବୁଥିରେ ପାୱାର ଅପରାଜେୟ। ବାସ୍ତବରେ କହିବାକୁ ‌ଗଲେ ସେ ହେଉଛନ୍ତି ରାଜନୀତିର ଚାଣକ୍ୟ। ପାୱାର ରାଜ୍ୟରେ ସାହେବ୍‌ ନାମରେ ସମସ୍ତଙ୍କ ନିକଟରେ ପରିଚିତ। ମହାରାଷ୍ଟ୍ରରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପାୱାର ଚଳିତ ରାଜନୈତିକ ସଙ୍କଟରେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ସଫଳତା ହାସଲ କରିଛନ୍ତି।

Advertisment

ଗତ ଶନିବାର ଦିନ ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନାବିସ ସରକାର ଗଠନ କରିବାପରେ କଂଗ୍ରେସ ଅଧ୍ୟକ୍ଷା‌ ସୋନିଆ ଗାନ୍ଧୀ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଅନ୍ୟ ବରି‌ଷ୍ଠ ନେତାମାନେ ଆଶା ହରାଇ ଦେଇଥିଲେ। କିନ୍ତୁ ପାୱାର ଦୃଢ଼ୋକ୍ତି ବାଢ଼ି କହିଥିଲେ, ଚିନ୍ତା କରିବାର କିଛି ନାହିଁ, ଖୁବ୍‌ଶୀଘ୍ର ଆମ ସରକାର ଗଠନ ହେବ। ପରିଶେଷରେ ମହାରାଷ୍ଟ୍ର ରାଜନୀତି ବଦଳିଲା ଏବଂ ଏନ୍‌ସିପି ନେତା ଅଜିତ ପାୱାର ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ପରେ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ପାୱାର ଏନ୍‌ସିପି ଏବଂ ପାୱାର ପରିବାରକୁ ଜଣାଇ ଦେଇଛନ୍ତି ଯେ ସେ ହିଁ ହେଉଛନ୍ତି ବିଗ୍‌ ବସ୍‌। ଜୀବନରେ କେବେ ବି ବିଧାନସଭା ଏବଂ ଲୋକସଭା ନିର୍ବାଚନ ହାରିନଥିବା ପାୱାର ତାଙ୍କ ଲଢ଼ୁଆ ମନୋବଳ ପାଇଁ ମହାରାଷ୍ଟ୍ର ରାଜନୀତିରେ ସର୍ବଦା ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି।