ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ବିଦ୍ୟୁତ କାଟ୍‌କୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ଜଣେ ନିଲମ୍ବିତ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟର କୁଳପତି ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ପ୍ରାୟ ୯ ମିନିଟ୍‌ ଧରି ଲାଇନ୍ ନ ରହିବା ତାଙ୍କର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେଣୁ ତାଙ୍କ ଗସ୍ତ ସମୟରେ ରାସ୍ତାକୁ ଫାଙ୍କା କରାଯିବା ସହିତ ଲାଇଟ୍‌ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥାଏ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅନ୍ଧାର ହୋଇଯିବା ଅର୍ଥ ତାଙ୍କ ସୁରକ୍ଷାରେ ତ୍ରୁଟି ହେବା। ଏହାକୁ ସାଧାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ରାଜ୍ୟ ଶକ୍ତି ମନ୍ତ୍ରୀ ରାଜ୍ୟରେ ବିଦ୍ୟୁତ କାଟ ହେଉ ନ ଥିବା ବାରମ୍ବାର କହି ଆସୁଛନ୍ତି। ହେଲେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଦ୍ୟୁତ କାଟ ହେଉଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏହି ମିଛର ପର୍ଦାଫାସ ହୋଇଛି। ଶକ୍ତି ବିଭାଗ ଯେ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ତାହା ପ୍ରମାଣିତ ହେଲାଣି। ତେଣୁ ଏଭଳି ତ୍ରୁଟି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଯଦି ବିତରକ କମ୍ପାନି ଦାୟୀ ତାହାଲେ କମ୍ପାନିର ଲାଇସେନ୍‌ସ ରଦ୍ଦ କରାଯାଉ। ବିତରକ କମ୍ପାନି ବଦଳରେ ଯଦି ଅନ୍ୟ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ସେହି ବିଭାଗର ମୁଖ୍ୟଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଉ। ରାଜ୍ୟ ଶକ୍ତି ମନ୍ତ୍ରୀ ଏହି ଘଟଣା ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ କହିଛନ୍ତି, ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏଭଳି ଅବ୍ୟବସ୍ଥା ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ନିୟମିତ ଭାବେ ଏକ କମିଟି ଏହାର ସମୀକ୍ଷା କରିଥାନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ମଧ୍ୟ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସମସ୍ତ ଯାଞ୍ଚ ହୋଇଥାଏ। ମାତ୍ର ଏ କ୍ଷେତ୍ରରେ ତାହା କରାଯାଇନାହିଁ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ସଂପୃକ୍ତ କୋଠାର ଇଣ୍ଟରନାଲ ୱେୟାରିଂ ଜିଇଡି କରିଥିବା କହିଛନ୍ତି। ତେଣୁ ବିଦ୍ୟୁତ ସଂଯୋଗ କରୁଥିବା ପ୍ୟାନେଲ ବୋର୍ଡ ଠିକ୍ ଅଛି କି ନାହିଁ, ତହିଁରେ ଥିବା ଯନ୍ତ୍ରପାତି ଠିକ୍ ଭାବେ କାମ କରୁଛି କି ନାହିଁ ତାହା ଜାଣିବା ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟରଙ୍କ କାମ। ମାତ୍ର ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟରଙ୍କ କଥା ସମସ୍ତେ ଭୁଲି ଯାଇଛନ୍ତି। ଏହାସହ ବିତରକ କମ୍ପାନି ତା’ର ବିଦ୍ୟୁତ ସରବରାହ ଠିକ୍ ରହିଥିବା କହିଛି। ଏହାସତ୍ତ୍ବେ ବି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କମ୍ପାନି ପକ୍ଷରୁ ଜଣେ ଇ‌ଞ୍ଜିନିୟରଙ୍କୁ ସେଠାରେ ନିୟୋଜିତ କରିବାର ଆବଶ୍ୟକତା ଥିଲା। କମ୍ପାନିର ଇଞ୍ଜିନିୟର ଘଟଣାସ୍ଥଳରେ ଉପସ୍ଥିତ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଏହାସହ ଯଦି ବିଦ୍ୟୁତ କାଟ ପାଇଁ ବିକଳ୍ପ ଭାବେ ୪ଟି ଜେନେରେଟର ରହିଥିଲେ ବି ତାକୁ ସିଧାସଳଖ ସଂଯୋଗ କରାଯାଇନାହିଁ। ଏଥି‌ରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗର ଅବହେଳା ବାରି ହୋଇ ପଡ଼ୁଛି। କେତେବର୍ଷ ହେବ ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟର ସଂପୃକ୍ତ ପ୍ୟାନେଲ ବୋର୍ଡ ଯାଞ୍ଚ କରି ନାହାନ୍ତି ତାହା ସ୍ପଷ୍ଟ ହେବା ଦରକାର। ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟର ସହିତ ଯେଉଁ କମିଟି ରାଷ୍ଟ୍ରପତିଙ୍କ ଗସ୍ତର ସମୀକ୍ଷା କରୁଥିଲା ସେମାନଙ୍କୁ ମଧ୍ୟ ଏହି ଘଟଣା ପାଇଁ ଉତ୍ତରଦାୟୀ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ଯୋଗାଯୋଗ କରାଯାଇଥିଲା। ଶ୍ରୀ ଦେବ କହିଥିଲେ, ମୁଁ ଝାରସୁଗୁଡ଼ାର ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଛି। ଏ ସଂପର୍କରେ କିଛି କହିପାରିବି ନାହିଁ କହିବା ସହିତ ଫୋନ୍ କାଟି ଦେଇଥିଲେ।