ଟେକ୍ସାସରେ ପ୍ରବଳ ବରଫପାତ, ବିନା ବିଦ୍ୟୁତରେ ରହିଛନ୍ତି ୨୯ ଲକ୍ଷ ଲୋକ

ଟେକ୍ସାସ : ଆମେରିକାର ଟେକ୍ସାସ ରାଜ୍ୟରେ ଏବେ ବିଦ୍ୟୁତ କାଟ ଯୋଗୁଁ ହାହାକାର ପଡ଼ିଯାଇଛି । ପ୍ରବଳ ବରଫପାତ ଯୋଗୁଁ ରାଜ୍ୟର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଓ ପାଓ୍ବାର ଗ୍ରୀଡ ବନ୍ଦ ହୋଇଯାଇଛି । ଫଳରେ ରାଜ୍ୟର ପ୍ରାୟ ୨୯ ଲକ୍ଷ ଲୋକ ଏବେ ବିଦ୍ୟୁତ ବିନା ରହିଛନ୍ତି ।

ଗୋଟିଏ ପଟେ ବରଫ ପଡ଼ୁଥିବାବେଳେ ବିଜୁଳି ନଥିବାରୁ ଲୋକମାନଙ୍କ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି । ଏପରିକି ଲୋକମାନେ ପାଣି ଗରମ କରିପାରୁନଥିବାରୁ ପାନୀୟ ଜଳ ଅଭାବ ଦେଖାଦେଇଛି । ଆସନ୍ତା କିଛି ଦିନ ମଧ୍ୟରେ ଆଉ ଏକ ବରଫ ଝଡ଼ ଆସିବାର ସମ୍ଭାବନା ଥିବାରୁ ଆଗାମୀ କିଛି ଦିନ ଧରି ସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା କମ ରହିଛି । ଫଳରେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି ।

କେବଳ ଟେକ୍ସାସ ରାଜ୍ୟ ନୁହେଁ ନିକଟବର୍ତ୍ତୀ ଲୁଇସିଆନା ଓ ମିସିସିପିରେ ମଧ୍ୟ ସମାନ ସଂକଟ ଦେଖାଦେଇଛି । ଏହି ପ୍ରତିକୂଳ ପାଗ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ପ୍ରାୟ ୩୮ ଜଣ ଲୋକ ପ୍ରାଣ ହରେଇସାରିଲେଣି ।

ଟେକ୍ସାସ ଆମେରିକାର ବୃହତ୍ତମ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ଓ ଏଠାରେ ଆମେରିକାର ବୃହତ୍ତମ ଗ୍ରୀଡ ରହିଛି । ପ୍ରବଳ ବରଫପାତ ଯୋଗୁଁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି ଓ ଗ୍ରୀଡ ଅଚଳ ହୋଇଯାଇଛି । ଜଳ ଅଭାବ ମେଣ୍ଟାଇବାକୁ ଓ ନିଜର ନିରାପତ୍ତା ପାଇଁ ଲୋକମାନଙ୍କୁ ପାଣି ଗରମ କରିରଖିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର