ୱାସିଂଟନ୍: ‘ବମ୍ ସାଇକ୍ଲୋନ୍’ ବା ଶୀତକାଳୀନ ତୋଫାନ୍ ଯୋଗୁଁ ବିଜୁଳି ସରବରାହରେ ବ୍ୟାଘାତ ଘଟିବାରୁ ଶୁକ୍ରବାର ଦିନ ଏକ ନିୟୁତରୁ ଅଧିକ ଆମେରିକୀୟ ଅନ୍ଧକାରରେ ଥିଲେ। ‘ବମ୍ ସାଇକ୍ଲୋନ୍’ ଯୋଗୁଁ ତୁଷାର ଓ ବରଫ ପଡ଼ି ରାଜପଥ ବନ୍ଦ ହୋଇଯିବା ଏବଂ ବିମାନ ଅବତରଣ କରି ନ ପାରୁଥିବାରୁ ବଡ଼ଦିନ ପର୍ଯ୍ୟଟକମାନେ ବଡ଼ ଅସୁବିଧାରେ ପଡ଼ିଛନ୍ତି।
ପ୍ରବଳ ତୁଷାରପାତ, ସୁ ସୁ ହୋଇ ଖୁବ୍ ଜୋର୍ରେ ପ୍ରବାହିତ ହେଉଥିବା ହେମାଳ ପବନ ଫୁଟନ୍ତା ପାଣିକୁ ବି କ୍ଷଣିକରେ ବରଫରେ ପରିଣତ କରି ଦେଉଛି। ଥଣ୍ଡା ପବନ ଯୋଗୁଁ ତାପମାତ୍ରା ବିଯୁକ୍ତ ୪୮ ଡିଗ୍ରି ସେଲିସିୟସ୍କୁ ଖସି ଆସିଥିବା କଥା ‘ନ୍ୟାସ୍ନାଲ୍ ୱେଦର୍ ସର୍ଭିସ୍’ କହିଛି। ପ୍ରାୟ ୨୪୦ ନିୟୁତ ଆମେରିକୀୟ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ୭୦%ଙ୍କ ପ୍ରତି ‘ନ୍ୟାସ୍ନାଲ୍ ୱେଦର୍ ସର୍ଭିସ୍’ ସତର୍କ ସୂଚନା ଜାରି କରିଛି।
ଉତ୍ତର ଏବଂ ଦକ୍ଷିଣ ଡାକୋଟା, ଓକ୍ଲାହୋମା, ଆଇଓୱା ଏବଂ ଅନ୍ୟାନ୍ୟ ସ୍ଥାନରେ ଭୀଷଣ ପବନ ସହିତ ତୁଷାରପାତ, ତୁଷାର-ଆବୃତ ରାସ୍ତାଘାଟ ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ପରିବହନ ବିଭାଗ କହିଛି।
ସାମ୍ବାଦିକ ସମ୍ମିଳନୀରେ ନ୍ୟୁୟର୍କ ଗଭର୍ଣ୍ଣର୍ କ୍ୟାଥି ହୋଚୁଲ୍ କହିଛନ୍ତି, ଏହା ହେଉଛି ସମଗ୍ର ଦେଶରେ ଅନୁଭୂତ ହେଉଥିବା ବିପତ୍ତି।