ସବୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ : ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ ଚାଲୁରହିବ

ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ-୧୯ ଯୋଗୁଁ ଲକଡାଉନ ଚାଲିଥିବା ସତ୍ଵେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପଗୁଡିକ ଚାଲୁରଖିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ପରାମର୍ଶ ଦେଇଛି । ତେବେ ଗତ ୧୫ ତାରିଖ ଦିନ ସ୍ଵରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଜାରି ନିୟମଗୁଡିକୁ ପାଳନ କରିବାକୁ ହେବ । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକୁ ପାଳନ କରାଯାଇ ଏଥିପାଇଁ ଅନୁମତି ଦିଆଯାଇପାରିବ ।

କେନ୍ଦ୍ର ସରକାର ଗତ ୨୦ ତାରିଖ ଦିନ ଜାରି କରିଥିବା ପତ୍ର ଅନୁସାରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ମାର୍ଗଦର୍ଶିକା ତଥା ମନ୍ତ୍ରାଳୟ ଆଦେଶ ଅନୁସାରେ ୨୦ ତାରିଖରୁ ପୌରପାଳିକା ଅଞ୍ଚଳ ବାହାରେ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ଏଗୁଡିକ ତାପଜ ଓ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ ହେବ । ତେବେ ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବାହାରେ ଥିବା ଆବଶ୍ୟକ। ତେବେ, କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ସାମାଜିକ ଦୂରତ୍ଵ ଭଳି ମାର୍ଗଦର୍ଶିକାକୁ ପ୍ରକଳ୍ପ ସ୍ଥାନରେ ଅନୁସରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ସମ୍ବନ୍ଧିତ ଖବର