ବିରୋଧୀଙ୍କ ପାଇଁ ରୋଲ୍‌ ମଡେଲ୍‌ ପାୱାର, ଏକାକୀ ୬୬ ରୢାଲି ପରିଚାଳନା କରିଛନ୍ତି

ପୁନେ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ତାଙ୍କ ଦଳକୁ ସଦ୍ୟ ଅମ୍ଳଜାନ ପ୍ରଦାନ କରିଛନ୍ତି। ପାୱାରଙ୍କ ଉଦ୍ୟମ ବଳରେ କେବଳ ଏନ୍‌ସିପିରେ ନୂଆ ଆଶା ସଞ୍ଚାର ହୋଇନି ବରଂ ଅନ୍ୟ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକରେ ମଧ୍ୟ ନୂତନ ଆଶା ସଞ୍ଚାର ହୋଇଛି। ସମସ୍ତ ବିରୋଧୀ ଦଳ ପାଇଁ ପାୱାର ରୋଲ୍‌ ମଡେଲ୍ ବନିଛନ୍ତି। ୭୯ ବର୍ଷୀୟ ପାୱାରଙ୍କ ପାଇଁ ଚଳିତ ନିର୍ବାଚନ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଏନ୍‌ସିପିର ବହୁ ପୁରୁଖା ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ପାୱାରଙ୍କ ପାଇଁ ଚଳିତ ନିର୍ବାଚନ ବହୁ କଷ୍ଟଦାୟକ ଥିଲା। କିନ୍ତୁ ପାୱାରଙ୍କ କମାଲ୍‌ ସମସ୍ତଙ୍କୁ ଚମକାଇ ଦେଇଛି।

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରୁ ଏନ୍‌ସିପି ୫୪ଟି ଆସନରେ ବିଜୟୀ ହୋଇଛି। ଗତ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଏନ୍‌ସିପିର ଆସନ ସଂଖ୍ୟା ବୃଦ୍ଧି ପାଇଛି। ଏହାଦ୍ବାରା ପାୱାର ପ୍ରମାଣ କରିଦେଇଛନ୍ତି ଯେ ସେ ଆଦୌ କ୍ଳାନ୍ତ ହୋଇନାହାନ୍ତି। ଗତ ସପ୍ତାହରେ ପାୱାର ବର୍ଷା‌ରେ ଭିଜି ସତରାରେ ରୢାଲି କରୁଥିଲେ। ପାୱାର ବର୍ଷାରେ ଭିଜୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଥିଲା ଏବଂ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାୱାର ଏକାକୀ ପ୍ରଚାର କାର୍ଯ୍ୟ ପରିଚାଳନା କରିଥିଲେ। ସେ ଏକାକୀ ୬୬ ରୢାଲିରେ ଉଦ୍‌ବୋଧନ ଦେଇଥି‌ଲେ। ନିର୍ବାଚନରେ ବିଜେପି ସହ କିଭଳି ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ ତାହା ପାୱାରଙ୍କଠାରୁ ହିଁ ଶିଖିବାକୁ ‌ହେବ ବୋଲି ବିରୋଧୀ ଦଳର ଅନେକ ନେତା କହିଛନ୍ତି। ପାୱାରଙ୍କ ପୁତୁରା ଅଜିତ ପାୱାର ଦଳ ଛାଡ଼ି ବିଜେପିରେ ଯୋଗ ଦେବା ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ଶେଷରେ ପ୍ରଫୁଲ୍‌ ପଟେଲଙ୍କ ବିରୋଧରେ ମଧ୍ୟ ଇଡି ମାମଲା ରୁଜୁ କଲା। କିନ୍ତୁ ଏସବୁ ପାୱାରଙ୍କ ମନୋବଳକୁ ଦୁର୍ବଳ କରିପାରି ନଥିଲା। ମହାରାଷ୍ଟ୍ରରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପାୱାର ଏକାକୀ ଏନ୍‌ସିପି-କଂଗ୍ରେସ ମେଣ୍ଟର ପ୍ରଚାର କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସେ ୬୬ରୁ ଅଧିକ ରୢାଲିରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର