ପୁନେ : ଏନ୍‌ସିପି ନେତା ଅଜିତ ପାୱାର ଯେଉଁଭଳି ତାଙ୍କ ନିଜ ଦଳର ନିଷ୍ପତ୍ତି ବିରୋଧରେ ଯାଇ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ କରିଛନ୍ତି ସେ ବିଷୟରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ପୂର୍ବରୁ ଜା‌ଣିଥି‌ଲେ ବୋଲି ଚର୍ଚ୍ଚା ହେଉଛି। ଅଜିତଙ୍କ ବିଦ୍ରୋହ ପଛରେ ଶରଦଙ୍କ ହାତ ଅଛି ବୋଲି କୁହାଯାଉଛି। କିନ୍ତୁ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ପୁଣିଥରେ ସ୍ପ‌ଷ୍ଟ କରି କହିଛନ୍ତି ଯେ ବିଜେପି ସହ ‌ମେଣ୍ଟ ନିଷ୍ପତ୍ତି ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଅଜିତ ପାୱାରଙ୍କ ବିଦ୍ରୋହ ପଛରେ ତାଙ୍କର ହାତ ନାହିଁ ବୋଲି ଶରଦ ପାୱାର କହିଛନ୍ତି। ପଡ଼ୋଶୀ ରାଜ୍ୟ ସତରାର କରଡ୍‌ ସହରରେ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ ଶରଦ ପାୱାର ଏକଥା କହିଛନ୍ତି।

Advertisment

ଶରଦ ପାୱାର କହିଛନ୍ତି, ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ ତାଙ୍କର କିଛି ଯୋଗାଯୋଗ ନାହିଁ। ତେବେ ଏନ୍‌ସିପିରୁ ଅଜିତଙ୍କୁ ବହିଷ୍କାର କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ଶରଦ ପାୱାର କହିଛନ୍ତି , ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦଳୀୟ ସ୍ତରରେ ନିଆଯିବ। ଶରଦ କହିଛନ୍ତି, ୫୦ ବର୍ଷର କ୍ୟାରିୟର ମଧ୍ୟରେ ଅନେକ ପରିସ୍ଥିତି ସାମ୍ନା କରିଛି। କଷ୍ଟଦାୟକ ପରିସ୍ଥିତି ଗୁଡ଼ିକ ସବୁବେଳେ ଅସ୍ଥାୟୀ। ତେଣୁ ଏଭଳି କଷ୍ଟଦାୟକ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ।