ମସ୍କୋ/ଟୋକିଓ/ୱାସିଂଟନ: ରୁଷ୍‌ର ପୂର୍ବ ଉପଦ୍ୱୀପ କାମ୍‌ଚାଟ୍‌କାରେ ଆଜି ସକାଳେ ବିଶ୍ୱର ଷଷ୍ଠ ବୃହତ୍ତମ ଭୂମିକମ୍ପ ଅନୁଭୂତ ହୋଇଛି।  ଆମେରିକା ଭୂ-ବିଜ୍ଞାନ ସର୍ଭେ ସଂସ୍ଥା ଅନୁଯାୟୀ ଏହି ଭୂମିକମ୍ପର ତୀବ୍ରତା ୮.୮ ଥିଲା। ଭାରତୀୟ ସମୟ ଅନୁଯାୟୀ ବୁଧବାର ଭୋର୍‌ ୪ଟା ୫୪ ମିନିଟରେ ଏହି ଭୂକମ୍ପ ଆସିଥିବା ବେଳେ ସମଗ୍ର ପ୍ରଶାନ୍ତ କ୍ଷେତ୍ର ପାଇଁ ଏହା ସୁନାମି ବିପଦ ଆଣିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, କାମ୍‌ଚାଟ୍‌କାରେ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିଛି। ଫଳରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୯.୩ କିଲୋମିଟର ଗଭୀରତାରେ ଥିଲା। କାମ୍‌ଚାଟ୍‌କା ଗଭର୍ଣ୍ଣର ଭ୍ଲାଦିମିର ସୋଲୋଡୋଭ୍‌ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଆଜିର ଭୂମିକମ୍ପ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। ଏଥିରେ ଶତାଧିକ ଆବାସିକ ଓ ସରକାରୀ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି।  
Advertisment
ଜାପାନ ସଙ୍କଟ ବଢ଼ିଲା
୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
ଏହି ଭୂକମ୍ପ ଜାପାନ ପାଇଁ ବହୁତ ବଡ଼ ବିପଦ ସୃଷ୍ଟି କରିଥିବାରୁ ଜାପାନ ଆଜି ଫୁକୁସିମା ପରମାଣୁ କେନ୍ଦ୍ରକୁ ଖାଲି କରିଛି। ସୁନାମି ଲହର ଦେଶର ପୂର୍ବ ଉପକୂଳ ନିକଟରେ ପହଞ୍ଚିଥିବା ବେଳେ ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ସୁନାମି ଲହରି ଆମେରିକାରେ ମଧ୍ୟ ବିପଦ ବଢ଼ାଇଛି। ଆଲାସ୍କା ଓ ହାୱାଇ ପାଇଁ ସୁନାମି ବଡ଼ ବିପଦ ସୃଷ୍ଟି କରିଛି। ତେବେ ସମସ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ତତ୍କାଳ ସ୍ଥାନାନ୍ତର କରାଯିବା ଫଳରେ ବଡ଼ ବିପଦକୁ ଟାଳି ଦିଆଯାଇଛି। ଜାପାନର ମେଇ ଅଞ୍ଚଳରେ ଜଣେ ୫୮ ବର୍ଷୀୟା ମହିଳାଙ୍କ କାର୍ ଏକ ଖାଲକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ କୌଣସି ସ୍ଥାନରୁ ଭୂକମ୍ପଜନିତ ମୃତାହତ ରିପୋର୍ଟ ମିଳିନାହିଁ। 
ରୁଷ୍‌ର ପୂର୍ବତଟରେ ଆଜି ଭୂକମ୍ପ ଆସିବାର କିଛି ସମୟ ପରେ ପ୍ରାୟ ୧୩ ଫୁଟ ଉଚ୍ଚତାର ସୁନାମି ଆସି ବ୍ୟାପକ ଧ୍ବଂସଲୀଳା ଘଟାଇଥିଲା। କୁରିଲ୍ ଦ୍ୱୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଥମ ସୁନାମି ଲହର ଆସିଥିଲା। କାମ୍‌ଚାଟ୍‌କାର କିଛି ଅଞ୍ଚଳରେ ୪ ମିଟର ଉଚ୍ଚତା ବିଶିଷ୍ଟ ସୁନାମି ମଧ୍ୟ ରେକର୍ଡ କରାଯାଇଛି। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ଅନୁଯାୟୀ, ପୂର୍ବ ଉପକୂଳରେ ପ୍ରାୟ ୧ ଫୁଟ ଉଚ୍ଚତାର ସୁନାମି ଲହର ପ୍ରଥମେ ପହଞ୍ଚିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ରୂପ ନେଇ ବଢ଼ିଚାଲିଥିଲା। ସମଗ୍ର ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁନାମି ସୃଷ୍ଟି ହେବା ସହ ଆଲାସ୍କା, ହାୱାଇ, ଚିଲି, ସୋଲୋମନ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ କ୍ଷତି ପହଞ୍ଚାଇଛି। ଇକ୍ୱେଡର୍‌ର କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ମିଟରରୁ ଅଧିକ ଉଚ୍ଚତାର ଲହରି ଆସିଥିବା ରେକର୍ଡ କରାଯାଇଛି। ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ସୁନାମି ବିପଦ ଆଗକୁ ମଧ୍ୟ ଜାରି ରହିବ ଏବଂ ଆଗାମୀ ୪୮ ଘଣ୍ଟା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣରେ ଚିଲି, ଇକ୍ୱେଡର, ପେରୁ, ଫିଲିପାଇନ୍‌ସ, ଗୁଆମ ଏବଂ ନ୍ୟୁଜିଲାଣ୍ଡ  ଆଦି ରାଷ୍ଟ୍ରରେ ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ବିପଦରେ ଥିବାରୁ ଜରୁରି ସହାୟତା ଯୋଗାଇ ଦିଆଯାଉଛି।