ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ସିଆର୍‌ପିଏଫ୍‌ ସ୍କୁଲରେ ଆଜି ସକାଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସ୍କୁଲର ଏକ କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲେ ହେଁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଫରେନ୍‌ସିକ୍ ଟିମ୍ ଏବଂ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର ତଦନ୍ତ କରିଥିବା ବେଳେ ଆଜି ଅପରାହ୍ନରେ ଏନ୍‌ଏସ୍‌ଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ପକ୍ଷରୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଆରମ୍ଭ ହୋଇଛି। ଘଟଣାସ୍ଥଳରୁ ବ୍ୟାଟେରି, ତାର ଓ କିଛି ଧଳା ପାଉଡର ଜବତ କରାଯାଇଥିବା ଏନ୍‌ଏସ୍‌ଜି କହିଛି। ଏହି ଘଟଣା ପରେ ଦିଲ୍ଲୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ପୁଲିସ ହାଇଆଲର୍ଟରେ ରହିଛି। ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

Advertisment

ସିଆର୍‌ପିଏଫ୍‌ ସ୍କୁଲ୍‌ର ବାହାର କାନ୍ଥ ନିକଟରେ ହୋଇଥିବା ଏହି ‌ଶକ୍ତିଶାଳୀ‌ ବୋମା ବିସ୍ଫୋରଣର ଶବ୍ଦ ପ୍ରାୟ ୨ କିମି ପର୍ଯ୍ୟନ୍ତ ଶୁଣାଯାଇଥିଲା। ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ୍‌ କାନ୍ଥ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ଏବଂ ନିକଟରେ ପାର୍କିଂ ହୋଇଥିବା କେତେକ କାର୍‌ର କାଚ ଭାଙ୍ଗିଯିବା ସହ ଦୋକାନଗୁଡ଼ିକର ସାଇନ୍ ବୋର୍ଡ କ୍ଷତିଗ୍ରସ୍ତ ହୋଇଥିଲା। ସକାଳ ୭ଟା ୪୭ମିନିଟରେ ଏହି ବିସ୍ଫୋରଣ ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ଅମିତ ଗୋଏଲ କହିଛନ୍ତି ଯେ ବିସ୍ଫୋରଣର କାରଣ ଅନୁସନ୍ଧାନ ପାଇଁ ଏନ୍‌ଏସ୍‌ଜି ବିଶେଷଜ୍ଞମାନେ ନିୟୋଜିତ ଅଛନ୍ତି। 

ଘଟଣାସ୍ଥଳରେ ତୁରନ୍ତ ଅପରାଧ ନିବାରଣା ଶାଖା ଟିମ୍, ଏଫ୍ଏସ୍ଏଲ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳକୁ ଘେରାବନ୍ଦୀ କରାଯାଇଛି। ଏନ୍‌ଏସ୍‌ଜି ଟିମ୍‌ ଯାଞ୍ଚରୁ ବୋମା ବ‌ିସ୍ଫୋରଣ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏନ୍‌ଆଇଏ ଓ ସିଆର୍‌ପିଏଫ ପକ୍ଷରୁ ମଧ୍ୟ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ମ୍ୟାପିଂ କରାଯାଉଛି। କିଏ ବୋମା ରଖିଥିଲା ତାହା ଜାଣିବା ପାଇଁ ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏହି ବିସ୍ଫୋରଣ ପଛରେ କୌଣସି ବଡ଼ ଷଡ଼୍‌ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପରିସ୍ଥିତି ଉପରେ ସତର୍କ ନଜର ରଖିଛି।