ନୂଆଦିଲ୍ଲୀ: ୧୦ଦିନ ବିତିଥିଲେ ବି ରୁଷ-ୟୁକ୍ରେନ ମଧ୍ୟରେ ହୋଇପାରିନାହିଁ ସମାଧାନ। ଦୁଇ ଥର ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲେ ବି ଯୁଦ୍ଧର ଅନ୍ତ ଘଟିପାରିନାହିଁ। ଶେଷ ହେବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି ରୁଷର ଆକ୍ରମଣ। କିବ୍,ଖାର୍କିବ ଭଳି ବଡ଼ ବଡ଼ ସହରରେ ଆକ୍ରମଣ କରିବା ପରେ ଏବେ ରୁଷ ୟୁକ୍ରେନର ଚେର୍ନିହିଭକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଶକ୍ତିଶାଳୀ ବିସ୍ଫୋରଣରେ ୟୁକ୍ରେନର ଚେର୍ନିହିଭ ଦୋହଲିଯାଇଥିବା ଦେଖାଯାଇଛି। ବିସ୍ଫୋରଣ ସମୟର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଚେର୍ନିହିଭର ଆକାଶରେ ନିଆଁ ପିଣ୍ଡୁଳା ଦେଖିବାକୁ ମିଳିଛି।
ତେବେ ଆକ୍ରମଣ ବନ୍ଦ କରୁନଥିବାରୁ ରୁଷକୁ ବିରୋଧ କରି ୟୁରୋପୀୟ ସଂଘ ବାଲଟିକ୍ ସାଗର ରାଜ୍ୟ ପରିଷଦରୁ ରୁଷ ଏବଂ ବେଲାରୁଷକୁ ହଟାଇ ଦେଇଛି। ଏହା ସହ ବାହାର ଦେଶରେ ଥିବା ୟୁକ୍ରେନୀୟମାନେ ଋଷ ସହ ଲଢେଇ ପାଇଁ ବିଦେଶରୁ ଫେରୁଛନ୍ତି। ପାଖାପାଖି ୬୬ ହଜାର ଲୋକ ନିଜ ଦେଶକୁ ଫେରୁଥିବାର ଖବର ଆସିଛି।
ଋଷର ଆକ୍ରମଣ ହେତୁ ବିଦେଶ ଯାଇଥିବା ୟୁକ୍ରେନୀୟମାନେ ଏବେ ନିଜ ଦେଶକୁ ଫେରୁଛନ୍ତି। ସେମାନଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ବୋଲି କୁହାଯାଉଥିବାବେଳେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଯେ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଋଷ ସୈନିକମାନଙ୍କ ସହିତ ଯୁଦ୍ଧ କରିବେ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ଅନେକ ଥର ଯୁଦ୍ଧ ଲଢ଼ିବାକୁ ନିବେଦନ କରିଛନ୍ତି। ଏଥିପାଇଁ ସରକାର ସାଧାରଣ ୟୁକ୍ରେନୀୟମାନଙ୍କ ପାଇଁ ସେନା ନିଯୁକ୍ତିରେ ବୟସ ସୀମା ମଧ୍ୟ ହଟାଇ ଦେଇଛନ୍ତି।