ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନର କାରନାମାକୁ ନଜରରେ ରଖି ଭାରତ ଏହାର ମିଗ୍-୨୯ ଯୁଦ୍ଧ ବିମାନକୁ ଅଧିକ ଶକ୍ତିଶାଳୀ କରିଛି। ବାୟୁସେନା ନିକଟରେ ଶତ୍ରୁ ରାଷ୍ଟ୍ରର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଯୁଦ୍ଧ ବିମାନ ନଥିବାରୁ ମିଗ୍-୨୯କୁ ଅଧିକ ଶକ୍ତିଶାଳୀ କରାଯାଇଛି। ଏଣିକି ଏହା ଆକାଶମାର୍ଗରେ ଶତ୍ରୁ ରାଷ୍ଟ୍ରର ଯୁଦ୍ଧ ବିମାନ ସହିତ ମୁକାବିଲା କରି ସେମାନଙ୍କୁ ମାତ୍ ଦେଇପାରିବ। ଏହି ବିମାନ ଏବେ ଚାରିପଟୁ ଆକ୍ରମଣ କରିପାରିବ। ଆକାଶରେ ଉଡୁଥିବା ସମୟରେ ଇନ୍ଧନ ଯଦି ଶେଷ ହୋଇଯାଏ, ଏହାକୁ ଅବତରଣ କରିବାକୁ ପଡ଼ିବ ନାହିଁ। ଆକାଶମାର୍ଗରେ ହିଁ ଏହା ଇନ୍ଧନ ଭରି ପୁଣି ତା’ କାର୍ଯ୍ୟ କରିପାରିବ।
ଚାରିପଟୁ ଆକ୍ରମଣ କରିବ ଏହି ବିମାନ
ଆକାଶରେ ସ୍ବୟଂ ଇନ୍ଧନ ଭରିପାରିବ
ଆଜି ବାୟୁସେନା ଦିବସରେ ଶକ୍ତି ଦେଖାଇବ
ପଞ୍ଜାବର ଅଦମ୍ପୁରସ୍ଥିତ ବାୟୁେସନା ଘାଟିରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କରନ୍ କୋହଲି କହିଛନ୍ତି, ଏଣିକି ମିଗ୍-୨୯କୁ ବିକଶିତ କରାଯାଇ ଅଧିକ କ୍ଷମତାଶାଳୀ କରାଯାଇଛି। ଚୀନ୍ ଓ ପାକିସ୍ତାନର ବାୟୁସେନା ସହିତ ମୁକାବିଲା କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିଲା। ଏବେ ଆମ ବାୟୁେସନା ମଧ୍ୟ ଶକ୍ତିଶାଳୀ ହୋଇଛି। ତାଙ୍କ କହିବାନୁଯାୟୀ ଏହି ଯୁଦ୍ଧ ବିମାନର ପୁରୁଣା ମଡେଲ୍ ଅତୀତରେ ନିଜ ସାମର୍ଥ୍ୟର ପରିଚୟ ଦେଇଛି। ୧୯୯୯ରେ କାର୍ଗିଲ୍ ଯୁଦ୍ଧ ବେଳେ ପାକିସ୍ତାନକୁ ଧୂଳି ଚଟାଇବା ପାଇଁ ଏହି ବିମାନ ଅନେକ ସହାୟକ ହୋଇଥିଲା। ଏହାର ଗୁରୁତ୍ବକୁ ନଜରରେ ରଖି ଏହାର ନୂଆ ଭର୍ସନ୍କୁ ଅଧିକ ଶକ୍ତିଶାଳୀ କରାଯାଇଛି। ଗତ ସପ୍ତାହରେ ଅଦମ୍ପୁର ବାୟୁସେନା ଘାଟିରେ ଏହାର ପ୍ରଦର୍ଶନ କରାଯାଇଛି। ସୋମବାର ବାୟୁେସନା ଦିବସ ଅବସରରେ ମଧ୍ୟ ଏହା ଆଉଥରେ ଆକାଶମାର୍ଗରେ ନିଜ ସାମର୍ଥ୍ୟ ପ୍ରଦର୍ଶନ କରିବ।
କୋହଲିଙ୍କ କହିବାନୁଯାୟୀ ମିଗ୍-୨୯ ଯୁଦ୍ଧ ବିମାନରେ ବହୁ-କାର୍ଯ୍ୟ ସାଧନକାରୀ ଡିସ୍ପ୍ଲେ ବ୍ୟବସ୍ଥା ସଂସ୍ଥାପନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତମାସ ୧୨ ତାରିଖରେ ବାୟୁସେନାର ମୁଖ୍ୟ ବି ଏସ୍ ଧନୋଆ ଯୁଦ୍ଧ ବିମାନ ଅଭାବ ପ୍ରସଙ୍ଗ ଉଠାଇଥିଲେ। ଭାରତୀୟ ବାୟୁସେନା ପାଇଁ ୪୨ ଯୁଦ୍ଧ ବିମାନ ଆବଶ୍ୟକ ଥିବା ବେଳେ ମାତ୍ର ୩୧ଟି ରହିଛି। ଏହାଦ୍ବାରା େସନା ଚାଲେଞ୍ଜ୍ର ସମ୍ମୁଖୀନ ହୋଇପାରେ। ତା’ଛଡ଼ା ଶତ୍ରୁ ରାଷ୍ଟ୍ରଗୁଡ଼ିକର ମନୋଭାବ ରାତାରାତି ବଦଳିପାରେ ବୋଲି ମଧ୍ୟ ସେ କହିଥିଲେ। ତେଣୁ ଏ ସବୁ ପରିସ୍ଥିତିକୁ ଆଖିରେ ରଖି ମିଗ୍-୨୯ ବିମାନକୁ ଅଧିକ କ୍ଷମତାଶାଳୀ କରାଯାଇଛି। ଅଦମ୍ପୁର ବାୟୁେସନା ଘାଟିରେ ଏହା ରହିଛି। ଏହି ଘାଟି ପାକିସ୍ତାନଠାରୁ ୧୦୦ କିଲୋମିଟର ଏବଂ ଚୀନ୍ଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏବେ ସେଠାରେ ଏହି ବିମାନ ପ୍ରସ୍ତୁତ ହୋଇ ରହିବ। ଉଲ୍ଲେଖଯୋଗ୍ୟ, ଏବେ ମିଗ୍-୨୯ର ୩ଟି ସ୍କ୍ବାଡ୍ରନ୍ ବ୍ୟବହାର କରାଯାଉଛି। ଗୋଟିଏ ସ୍କ୍ବାଡ୍ରନ୍ରେ ୧୬-୧୮ ଯୁଦ୍ଧ ବିମାନ ଥାଆନ୍ତି। କୋହଲିଙ୍କ କହିବାନୁଯାୟୀ କୌଣସି ରାଷ୍ଟ୍ରର ଯୁଦ୍ଧ ବିମାନ ଭାରତୀୟ ସୀମା ମଧ୍ୟରେ ପଶିବାର ଖବର ମିଳିବା ମାତ୍ରେ କେବଳ ୫ ମିନିଟ୍ ମଧ୍ୟରେ ମିଗ୍-୨୯ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଯିବ ଏବଂ ଆଖି ପିଛୁଳାକେ ଏହା ଘଟଣାସ୍ଥଳରେ ପହଞ୍ଚି ପାରିବ।