ଜାକର୍ତ୍ତା (ଇଣ୍ଡୋନେସିଆ): ରବିବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ଲୋମ୍ବୋକ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସହ ଅନେକ କୋଠାବାଡ଼ି ଭାଙ୍ଗିରୁଜି ଯାଇଛି।
ଦେଶର ଉତ୍ତରଭାଗରେ ଭୂମିକମ୍ପ ଅନୁଭୂତ ହେଉଥିବା ବେଳେ ଅନେକ ଲୋକ ଶୋଇଥିଲେ। କମ୍ପନ ଅନୁଭୂତ ହେବା ପରେ ସଭିଏଁ ଜୀବନ ବିକଳେ ଘରଦ୍ୱାର ଛାଡ଼ି ପଦାକୁ ବାହାରି ଆସିଥିଲେ। ପରବର୍ତ୍ତୀ କମ୍ପନ ଆଶଙ୍କାରେ ଅଧିକାଂଶ ଲୋକେ ଘର ବାହାରେ ହିଁ ଅପେକ୍ଷା କରି ରହିଥିଲେ।
ଯୁକ୍ତରାଷ୍ଟ୍ର ଆମେରିକାର ଜିଓଗ୍ରାଫିକାଲ୍ ସର୍ଭେ ହିସାବ ଅନୁସାରେ, ରିକ୍ଟର୍ ସ୍କେଲ୍ରେ ଭୋର୍ ୬ଟା ୪୭ ମିନିଟ୍ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ଥିଲା ୬. ୪। ଲେଲୋଙ୍ଗକେନ୍ର ଦକ୍ଷିଣପଶ୍ଚିମକୁ ୧. ୪ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ଭୂଗର୍ଭର ୭ କିଲୋମିଟର ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାର ଜିଓଗ୍ରାଫିକାଲ୍ ସର୍ଭେ ପୁଣି କହିଛି କି, ଏହାର ଅଧଘଣ୍ଟାଏ ପରେ ଘଟିଥିବା ଭୂମିକମ୍ପ ପରବର୍ତ୍ତୀ କମ୍ପନର ମାତ୍ରା ରିକ୍ଟର୍ ସ୍କେଲ୍ରେ ଥିଲା ୫. ୪। ମାତାରାମ ସହରର ଉତ୍ତରପୂର୍ବକୁ ୫୦ କିଲୋମିଟର୍ ଦୂରରେ ଥିଲା ଏହାର କେନ୍ଦ୍ର।
ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ବାଲି ଦ୍ୱୀପର ପୂର୍ବରେ ରହିଛି ଲୋମ୍ବୋକ ଦ୍ୱୀପ।