ମୁମ୍ବାଇ: ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ରବିବାର ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ପାୱାର ପାଲେଷ୍ଟାଇନର ଅଧିକାରକୁ ସମର୍ଥନ କରିଥିଲେ। ନିଜ ଦଳରେ ବିଦ୍ରୋହର ସମ୍ମୁଖୀନ ହୋଇଥିବା ଏନ୍ସିପି ନେତା କହିଥିଲେ ଯେ, ଇସ୍ରାଏଲୀମାନେ ହେଉଛନ୍ତି ବାହାରର ଲୋକ (ଆଉଟ୍ସାଇଡର) ଯେଉଁମାନେ ପାଲେଷ୍ଟାଇନର ଜମିକୁ ଜବରଦଖଲ କରିନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଏବଂ ଅଟଳବିହାରୀ ବାଜପେୟୀ ପାଲେଷ୍ଟାଇନର ସ୍ବାର୍ଥକୁ ସମର୍ଥନ କରିଥିଲେ ବୋଲି ପାୱାର କହିଥିଲେ। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ପାୱାର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତିରୁ ଜଣାପଡ଼ୁଛି, ସେ ଏକ ଭିନ୍ନ ଆଭିମୁଖ୍ୟକୁ ଆପଣଉଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଆଜିଯାଏ ପୋଷଣ କରି ଆସୁଥିବା ଆଭିମୁଖ୍ୟ ଏହାଠାରୁ ଭିନ୍ନ।
ପାୱାରଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଥିଲେ, ପାୱାରଙ୍କ ପରି ବରିଷ୍ଠ ନେତା ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଆଲୋଚନା କଲାବେଳେ ଭୋଟବ୍ୟାଙ୍କ ରାଜନୀତି ଛାଡ଼ି ଆତଙ୍କବାଦର ଦୃଢ଼ ନିନ୍ଦା କରିବା ଉଚିତ। ଫଡ଼ନାବିସ କହିଥିଲେ ଯେ, ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତ କେବେ ବି ତା’ର ବିଦେଶ ନୀତିରେ ପରିବର୍ତ୍ତନ କରିନାହିଁ। କିନ୍ତୁ ଯେକୌଣସି କାରଣ ପାଇଁ ବି ହେଉ ଆତଙ୍କବାଦକୁ ଭାରତ ସବୁବେଳେ ଦୃଢ଼ ନିନ୍ଦା କରିଆସିଛି। ଯେତେବେଳେ ସାରା ବିଶ୍ବ ଇସ୍ରାଏଲରେ ନିରୀହ ଲୋକଙ୍କ ହତ୍ୟାକୁ ନିନ୍ଦା କରୁଛି, ଶରଦ ପାୱାର ଜୀ ଆତଙ୍କବାଦ ବିରୋଧରେ ସେହି ଭଳି ଭାଷା କହିବା ଉଚିତ। ଫଡ଼ନାବିସ ମୁମ୍ବାଇ ଆକ୍ରମଣର ବି ଦୃଷ୍ଟାନ୍ତ ଦେଇଥିଲେ।
କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ବି ପାୱାରଙ୍କ ବିବୃତିର ନିନ୍ଦା କରିଥିଲେ। ସେ କହିଥିଲେ ଭାରତ ସବୁ ପ୍ରକାର ଆତଙ୍କବାଦ ବିରୋଧରେ ଦୃଢ଼ ଭାବରେ ଠିଆ ହୋଇ ଆସିଛି- ତାହା ଦେଶ ଭିତରେ ହେଉ କି ବାହାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ବିଶ୍ବ ଶାନ୍ତି ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ନୀତିନ ଏକ୍ସରେ ଟ୍ବିଟ୍ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ପାୱାରଙ୍କ ବିବୃତିର ନିନ୍ଦା କରି କହିଛନ୍ତି- ଏପରି ପଚା ମାନସିକତା ଦୂର ହେବା ଦରକାର। ଶରଦ ପାୱାରଙ୍କ ପରି ପୋଖତ ନେତାଙ୍କ ମୁହଁରେ ଏପରି ବିବୃତି ଶୋଭା ପାଉନାହିଁ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ହମାସ ପାଇଁ ଶରଦ ପାୱାର ଯେପରି ଦରଦ ଦେଖାଉଛନ୍ତି, ମୋର ମନେ ହୁଏ ସେ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ହମାସ ସପକ୍ଷରେ ଲଢ଼ିବା ପାଇଁ ଗାଜା ପଠାଇଦେବେ। ଏହାର ଜବାବରେ ସୁପ୍ରିୟା ସୁଲେ କହିଛନ୍ତି, ହିମନ୍ତ ଏବଂ ମୋର ଡିଏନ୍ଏରେ କଂଗ୍ରେସର ବିଚାରଧାରା ରହିଛି, କିନ୍ତୁ ବିଜେପିକୁ ଯିବା ପରେ କିଛି ନେତା ମହିଳା ବିରୋଧୀ ବୟାନ ଦେଉଛନ୍ତି।