ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ତିନି ଦିନ ତଳେ ସୃଷ୍ଟି ହୋଇଥିବା ଭୂକମ୍ପର ସଫଳ ମୁକାବିଲା କରିଛନ୍ତି ଏନ୍ସିପି ସୁପ୍ରିମୋ ଶରଦ ପାୱାର । ପାୱାରଙ୍କ ମାଷ୍ଟର୍ ଷ୍ଟ୍ରୋକ୍ରେ ବିଜେପି କ୍ଷମତାରେ ରହିବା ପାଇଁ କରିଥିବା ସବୁ ଯୋଜନା ପଣ୍ଡ ହୋଇଯାଇଛି। ଆଜି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ନେଇ ସୁପ୍ରିମ୍ କୋର୍ଟ ରାୟ ଆସିବା ପୂର୍ବରୁ ଶରଦ୍ ପାୱାର ସକ୍ରିୟ ହୋଇ ଉଠିଥିଲେ ଏବଂ ତାଙ୍କର ମାତ୍ର ଦୁଇ ଘଣ୍ଟାର ରଣନୀତି ବିଜେପିର ଖେଳକୁ ଓଲଟାଇ ଦେଇଥିଲା।
ଶରଦ୍ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କୁ ମନାଇବା ପାଇଁ ଆଜି ସକାଳେ ମୁମ୍ବାଇର ହୋଟେଲ୍ ଟ୍ରାଇଡେଣ୍ଟ୍ରେ ଏକ ବୈଠକ କରିଥିଲେ। ଏହି ହୋଟେଲ୍ରେ ହିଁ ଫଡ଼ନାବିସଙ୍କ ୮୦ ଘଣ୍ଟାର ବିଜେପି ସରକାରର ପତନ ପାଇଁ ବାଟ ଫିଟିଥିଲା । ବୈଠକରେ ଅଜିତ ପାୱାରଙ୍କ ସହ ଫୋନ୍ରେ ଆଲୋଚନା ହୋଇଥିଲା ଏବଂ ଏହାପରେ ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସାଂସଦ ସୁପ୍ରିୟା ସୁଲେ, ଏନ୍ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ୍, ପ୍ରଫୁଲ ପଟେଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ଶୀର୍ଷ ଏନ୍ସିପି ନେତା ଅଜିତ ପାୱାରଙ୍କୁ ଏନ୍ସିପିକୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ଏହାଦ୍ବାରା ତାଙ୍କ ପୂର୍ବ ସମ୍ମାନ ବଜାୟ ରହିବ ବୋଲି ତାଙ୍କୁ ଦୃଢ଼ ଅଶ୍ବାସନା ଦିଆଯାଇଥିଲା।
ଏକ ବିଶେଷ ସୂ୍ତ୍ରରୁ ଜାଣିବାକୁ ମିଳିଛି ଯେ ଶରଦ ପାୱାର ୩ ଦିନ ମଧ୍ୟରେ ତାଙ୍କ ପୁତୁରାଙ୍କ ନିକଟକୁ ୫ ଥର ତାଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ ମଧ୍ୟ ସଫଳ ହୋଇନଥିଲେ। ତେବେ ଶରଦ ପାୱାର ଭଲଭାବେ ଜାଣିଥିଲେ ଯେ ତାଙ୍କ ଚାପରେ ତାଙ୍କ ପୁତୁରା ଅଜିତ ପାୱାର ନିଶ୍ଚିତ ନଇଁବେ। ତେଣୁ ଆଜି ସକାଳୁ ସେ ଝିଅ ସୁପ୍ରିୟାଙ୍କୁ ନେଇ ତାଙ୍କ ଯୋଜନା କାର୍ଯ୍ୟକାରୀ କରିଥିଲେ।
ଗତ ରବିବାର ଏବଂ ସୋମବାର ମଧ୍ୟ ଶରଦ ପାୱାର ଛଗନ ଭୁଜବଳ ଏବଂ ଜୟନ୍ତ ପାଟିଲ୍ଙ୍କୁ ଅଜିତଙ୍କ ସହ ଭେଟିବାପାଇଁ ପଠାଇଥିଲେ। କିନ୍ତୁ ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ପ୍ରଫୁଲ ପଟେଲ୍ ହିଁ ତାଙ୍କ ରଣନୀତି କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ପାୱାର ପରିବାର ଏକଜୁଟ୍ ହୋଇ ନିଷ୍ପତ୍ତି ନେଇଥିଲେ ଏବଂ ୩ ଦିନର ଫଡନାବିସ ସରକାରର ପତନ ଘଟିଲା।