୨୦୨୪ ଯୁଦ୍ଧ ପାଇଁ ୧୫ଟି ରାଜ୍ୟର ସେନାପତି ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୫ଟି ରାଜ୍ୟର ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ବାବଦରେ ଘୋଷଣା କରିଛି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏଥି ମଧ୍ୟରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ସମେତ ମୋଟ ୧୫ଟି ରାଜ୍ୟ ରହିଛି । ବିହାରରେ ବିନୋଦ ତାୱଡେ, ବିପ୍ଲବ କୁମାର ଦେବଙ୍କୁ ହରିୟାଣା, ପ୍ରକାଶ ଜାଭଡେକରଙ୍କୁ କେରଳ, ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବର ଦାୟିତ୍ୱ ଦିଆଯାଇଛି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଥିବା ତାଲିକା ଅନୁଯାୟୀ ଉତ୍ତର-ପୂର୍ବ ପାଇଁ ସମ୍ବିତ ପାତ୍ର, ବିହାର ପାଇଁ ବିନୋଦ ତାୱଡେ, ତ୍ରିପୁରା ପାଇଁ ମହେଶ ଶର୍ମା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭଡେକରଙ୍କୁ କେରଳ, ରାଧା ମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ଵୀପ, ଓମ ମାଥୁରଙ୍କୁ ଛତିଶଗଡ, ବିପ୍ଲବ କୁମାର ଦେବଙ୍କୁ ହରିୟାଣା, ମୁରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୁପାଣିଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି |


ସେହିପରି ତରୁଣ ଚୂଘଙ୍କୁ ତେଲେଙ୍ଗାନା, ଅରୁଣ ସିଂଙ୍କୁ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସହ-ପ୍ରଭାରୀ ଭାବେ ମଧ୍ୟପ୍ରଦେଶ ପାଇଁ ପଙ୍କଜା ମୁଣ୍ଡେ, ରମାସଙ୍କର କଟାରିୟାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଛତିଶଗଡ଼ ପାଇଁ ନୀତିନ ନବୀନ, ବିହାର ପାଇଁ ହରିଶ ଦ୍ବିବେଦୀ, କେରଳ ପାଇଁ ରାଧାମୋହନ ଅଗ୍ରୱାଲ, ପଞ୍ଜାବ ପାଇଁ ନରିନ୍ଦର ସିଂହ ରାଇନା, ତେଲେଙ୍ଗାନା ପାଇଁ ଅରବିନ୍ଦ ମେନନ, ବିଜୟ ରାହତକରଙ୍କୁ ରାଜସ୍ଥାନ, ଅମିତ ମାଲବିୟ ଏବଂ ଆଶା ଲାକ୍ରାଙ୍କୁ ପଶ୍ଚିମବଙ୍ଗର ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି |

ସମ୍ବନ୍ଧିତ ଖବର