ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନର ୫୪ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସର ଦମଦାର ବିଜୟ ଚର୍ଚ୍ଚାରେ ରହିଛି । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୨୩୭ ରନ୍ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୁଆଁଧାର ବ୍ୟାଟିଂ କରି ୪୮ ବଲରେ ୯୧ ରନ କରିଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୯୯ ରନ୍ କରି ୩୭ ରନରେ ପଞ୍ଜାବଠାରୁ ଲକ୍ଷ୍ନୌ ପରାଜିତ ହୋଇଛି ।
ପଡ଼ିଆରେ ପ୍ରଭସିମରନ ସିଂହଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ କ୍ରିକେଟ ତାରକାଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟି ଆସୁଛି। ଚର୍ଚ୍ଚା୍କୁ ଆସିବା ପରେ ପ୍ରଭସିମରନଙ୍କ ବ୍ୟକ୍ତିଗତ ଜୀବନ କେତେ ସଂଘର୍ଷ ଓ ଯନ୍ତ୍ରଣାଦାୟକ ରହିଛି ତାହା ବି ସାମ୍ନାକୁ ଆସିଛି।
ପଞ୍ଜାବ କିଙ୍ଗ୍ସର ବ୍ୟାଟସମ୍ୟାନ୍ ପ୍ରଭସିମରନ୍ ସିଂହଙ୍କ ପିତା ସୁରଜିତ ସିଂହଙ୍କ ଦୁଇଟି କିଡନି ଫେଲ ହୋଇଯାଇଛି। ଏହି କାରଣରୁ ସୁରଜିତଙ୍କ ସପ୍ତାହରେ ତିନିଥର ଡାଏଲିସିସ୍ ହୋଇଥାଏ।
ସୁରଜିତଙ୍କ ବଡ଼ ଭାଇ ସତୱିନ୍ଦରପାଲ ସିଂହ କହିଛନ୍ତି,‘ ଆଇପିଏଲରେ ପୁଅ ପ୍ରଭସିମରନ ବ୍ୟାଟିଂ କରୁଥିବା ବେଳେ ହିଁ ସାନଭାଇ ମୁହଁରେ ହସ ଦେଖିବାକୁ ମିଳିଥାଏ। ଏହାପରେ ତାଙ୍କ ଚେହେରାରୁ ହସ କେଉଁଆଡେ ଉଭେଇ ଯାଇଥାଏ। ତାଙ୍କୁ ସପ୍ତାହରେ ତିନିଥର ଡାଏଲିସିସ୍ କରିବାକୁ ପଡ଼େ। ଜଣେ ବଡ଼ ଭାଇ ଭାବରେ ମୁଁ ତାଙ୍କର ଯନ୍ତ୍ରଣା ଦେଖିପାରୁନାହିଁ। ସର୍ବଦା ମୁଁ ମୋର ସାନଭାଇଙ୍କ ଆରୋଗ୍ୟ କାମନା କରି ଆସୁଛି।
ପଞ୍ଜାବର ପଟିଆଲାରେ ରହୁଥିବା ପ୍ରଭସିମରନଙ୍କ ପରିବାର ମଇ ୪ ତାରିଖ ରାତିରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ବିପକ୍ଷରେ ପଡ଼ିଆରେ ପୁଅର ଲଢ଼େଇ ଦେଖୁଥିଲେ। ପଞ୍ଜାବ ମ୍ୟାଚ୍ ଜିତିଥିଲା, କିନ୍ତୁ ପ୍ରଭସିମରନ୍ ୯୧ ରନ୍ କରି ଆଉଟ୍ ହୋଇଥିଲେ। ସୋମବାର ସକାଳେ ପ୍ରଭସିମରନ ଯେତେବେଳେ ଫୋନ କରି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ। ସେ ସମୟରେ ବାପା ପ୍ରଭସିମରନଙ୍କୁ ଶତକ ନଛୁଇଁ ହାରି ଯାଇଥିବାରୁ ଗାଳି କରିଥିଲେ।