ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ : ୩୩ କୋଟି ଗରିବଙ୍କୁ ୩୧,୨୩୫ କୋଟିର ସହାୟତା

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ୩୧,୨୩୫ କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଅନ୍ୟ ମନ୍ତ୍ରଣାଳୟ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟେରିଏଟ୍‌ ମଧ୍ୟ ଏହା ଉପରେ ନଜର ରଖିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୬୬ କୋଟି ଗ୍ୟାସ ସିଲିଣ୍ଡର ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୧,୦୯,୨୭୭ ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଲୋକଙ୍କୁ ଲକଡାଉନ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ୩୯.୨୭ କୋଟି ହିତାଧିକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି ।

ଏପ୍ରିଲ ପହିଲାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକ ବୃଦ୍ଧି କରାଯାଇଛି । ୧୨୭ କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ ୭୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପିଏମ-କିଷାନ ଯୋଜନାରେ ୧୬,୧୪୬ କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ସମସ୍ତ ୮ କୋଟି ଚିହ୍ନିତ ହିତାଧିକାରୀ ନିଜ ବ୍ୟାଙ୍କ ଖାତରେ ୨୦୦୦ ଟଙ୍କା ଲେଖାଏଁ ପାଇଛନ୍ତି । ୨୦.୦୫ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି। ୨୨ ଏପ୍ରିଲ ସୁଦ୍ଧା ଏ ବାବଦରେ ୧୦,୦୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରାୟ ୨.୮୨ କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧୪୦୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଭାବେ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆସନ୍ତା ମାସକୁ ଦ୍ୱିତୀୟ କିସ୍ତିରେ ଆଉ ୫୦୦ ଟଙ୍କା ପ୍ରଦାନ କରାଯିବ । ୨.୧୭ କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ ୩୪୯୭ କୋଟି ଟଙ୍କାର ସହାୟତା ଦିଆଯାଇଛି ।

ସମ୍ବନ୍ଧିତ ଖବର