ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ: ଯୋଗଦେଲେ ଓଡ଼ିଶାର ୨୧ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଓଡ଼ିଶାରୁ ୨୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ତେବେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କୁ ସୁଯୋଗ ମିଳି ନଥିଲା। କିନ୍ତୁ, ଅନ୍ୟ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନରୁ ଉତ୍ତର ପାଇଗଲୁ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଜଣ ଶିକ୍ଷକ ଯୋଗ ଦେଇଥିଲେ। ଏଥିସହିତ, ୧୩ ଜଣ ଛାତ୍ର ଓ ୮ ଜଣ ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ‘ସମ୍ବାଦ’ ସହିତ ଛାତ୍ରଛାତ୍ରୀ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ। ସିଡିଏ ସେକ୍ଟର ୬ ଡିଏଭି ସ୍କୁଲ ଛାତ୍ର ଅଭୟଙ୍କ କହିବାନୁସାରେ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଆମର ପରୀକ୍ଷା ପ୍ରସ୍ତୁତି ଦିଗରେ ଯଥେଷ୍ଟ ସହାୟକ ହେବ। ଆଗକୁ ବିଭିନ୍ନ ପରୀକ୍ଷାକୁ ନେଇ ଯେଉଁ ସବୁ ଭୟ ଓ ଆଶଙ୍କା ରହିଥିଲା, ତାହା ମଧ୍ୟ ଦୂର ହୋଇପାରିବ। ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ରିଧିଶା ମୁର୍ମୁ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଏହା ତାଙ୍କ ପାଇଁ ବିଶେଷ ପ୍ରେରଣାଦାୟକ ଏବଂ ଖୁସିର ମୁହୂର୍ତ୍ତ ଥିଲା ବୋଲି କହିଥିଲେ। ତାଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ମିଳିଲା ନାହିଁ, ସେଥିରେ ସେ ନିଶ୍ଚିତ ରୂପେ ନିରାଶ ହୋଇଛନ୍ତି କିନ୍ତୁ ସେ ଯେଉଁ ପ୍ରଶ୍ନଗୁଡ଼ିକୁ ପଚାରିବା ପାଇଁ ଚାହୁଁଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କର ପ୍ରଶ୍ନରେ ସେ ତାହାର ଉତ୍ତର ପାଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର