ଜନଔଷଧି କେନ୍ଦ୍ର ସଂଖ୍ୟା ୧୦,୫୦୦କୁ ବଢ଼ିବ

ନୂଆଦିଲ୍ଲୀ : ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ ୨୦୨୫ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟାକୁ ୧୦,୫୦୦ ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା ଏହି ସୂଚନା ଦେଇଛନ୍ତି। ଏହି ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରା ଦେଶର ସମସ୍ତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଦେଶର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ। ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦେଶରେ ମୋଟ ୬୬୦୩ଟି ଜନଔଷଧି କେନ୍ଦ୍ର ଥିଲା । ବର୍ତ୍ତମାନ ଦେଶର ଚାରିଟି ସ୍ଥାନରେ ଜନଔଷଧି କେନ୍ଦ୍ରର କ୍ଷେତ୍ରୀୟ ୱେରହାଉସ୍ ରହିଛି। ସେଗୁଡ଼ିକ ହେଲା ଗୁରୁଗ୍ରାମ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଗୌହାଟୀ। ଅଧିକନ୍ତୁ ଏବେ କେନ୍ଦ୍ରୀୟ ଭାରତରେ ଆଉ ଦୁଇଟି ୱେର ହାଉସ୍ ସ୍ଥାପନ ସକାଶେ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାତିରିକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ବିତରକମାନଙ୍କୁ ନିଯୁକ୍ତ କରିବା ଦ୍ୱାରା ଯୋଗାଣ ଚେନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ମଧ୍ୟ ଚିନ୍ତା କରାଯାଉଥିବା ଶ୍ରୀ ଗୌଡ଼ା କହିଛନ୍ତି ।

ସମ୍ବନ୍ଧିତ ଖବର