‘ପ୍ରଦ୍ୟୁମ୍ନଙ୍କ ପିତା ନିଜର ପୁଅ ହରାଇଛନ୍ତି,କିନ୍ତୁ ମୋର ପୁଅକୁ ବଞ୍ଚାଇ ଦେଇଛନ୍ତି’

ଗୁରଗ୍ରାମ: ହରିୟାଣାର ଗୁରୁଗ୍ରାମ୍‌ସ୍ଥିତ ର‍୍ୟାନ୍‌ ଇଣ୍ଟାନ୍ୟାସନାଲ୍‌ ସ୍କୁଲ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏକାଦଶ ଶ୍ରେଣୀର ଛାତ୍ରକୁ ସିବିଆଇ ଧରିବାପରେ ତାକୁ ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ସିବିଆଇ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଠାବ କରିଛି। ଏହି ଘଟଣାରେ ଆଉ ଜଣେ ଛାତ୍ର ବି ସମ୍ପୃକ୍ତ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି।

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଗୁରୁଗ୍ରାମ ପୁଲିସ ବସ କଣ୍ଡେକ୍ଟର ଅଶୋକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲେ ହେଁ, ପ୍ରଦ୍ୟୁମ୍ନଙ୍କ ପିତା ବରୁଣ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ପୁଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ ଜାରି ରଖିଥିଲେ। ବରୁଣଙ୍କ ଦାବି ହେତୁ ସିବିଆଇ ପ୍ରଦ୍ୟୁମ୍ନ ହତ୍ୟା ମାମଲାର ଯାଞ୍ଚ ଜାରି ରଖି ଏହି ହତ୍ୟା ମାମଲାରେ ଦୁଇଜଣ ଛାତ୍ର ଜଡ଼ିତ ଥିବା କଥା ଜାଣିବାକୁ ପାଇଛନ୍ତି। ଏହାଫଳରେ ମୋର ପୁଅ ଆଶୋକ ନିର୍ଦ୍ଦୋଷରେ ଜେଲରୁ ମୁକୁଳି ଆସିବ ବୋଲି ବସ୍‌ କଣ୍ଡେକ୍ଟରଙ୍କ ମା’ କେଲା ଦେବୀ କହିଛନ୍ତି। ଏଥିପାଇଁ ସେ ପ୍ରଦ୍ୟୁମ୍ନଙ୍କ ପିତାଙ୍କ ନିକଟରେ କୃତଜ୍ଞତା ଜଣାଇବା ସହିତ ସବୁଦିନ ପାଇଁ ତାଙ୍କ ନିକଟରେ ଋଣି ରହିବେ ବୋଲି ସର୍ବ ସମ୍ମୁଖରେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେଟର ୮ ତାରିଖରେ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଟଏଲେଟରେ ୭ ବର୍ଷୀୟ ପ୍ରଦ୍ୟୁମ୍ନକୁ ତଣ୍ଟିକାଟି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ସିବିଆଇ ମୁଖ୍ୟଅଭିଯୁକ୍ତ ଛାତ୍ରକୁ ବିଭିନ୍ନ ସ୍ଥାନକୁ ନେଇ ପଚରାଉଚୁରା କରିବା ସହ ଘଟଣାର ସ୍ପଷ୍ଟ ଚିତ୍ର ଜାଣିବାକୁ ପ୍ରୟାସ ଜାରି ରଖିଛି। ଗତକାଲି ଅଭିଯୁକ୍ତ ଛାତ୍ର ଜଣକ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅପରପକ୍ଷେ ହରିୟାଣା ପୁଲିସ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ବଳପୂର୍ବକ ଦୋଷୀ ଦର୍ଶାଇଥିବାରୁ ଅଶୋକଙ୍କ ପରିବାର ଏବେ ଗୁରୁଗ୍ରାମ୍‌ ପୁଲିସ ଏବଂ ସ୍କୁଲ୍‌ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

ଅସଲ ଅପରାଧୀ ଧରା ପଡ଼ିବା ପରେ ବସ୍‌ କଣ୍ଡକ୍ଟର ଅଶୋକ କୁମାର କହିଛନ୍ତି,ତାଙ୍କର କିଛି ଦୋଷ ନ ଥାଇ ତାଙ୍କ ଉପରେ ଦୋଷ ଲଦି ଦିଆଯିବା ସହିତ ଚରମ ନିର୍ଯାତନା ଦିଆଯାଇଥିଲା। ଏ ନେଇ ସେ ଗୁରୁଗ୍ରାମ୍‌ ପୁଲିସ ଏବଂ ସ୍କୁଲ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାନହାନୀ ମାମଲା ରୁଜୁ କରିବେ ବୋଲି ଅଶୋକଙ୍କ ଓକିଲ ମୋହିତ ବର୍ମା କହିଛନ୍ତି।

ସିବିଆଇର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାପରେ ଏବେ ଗୁରୁଗ୍ରାମ୍‌ ପୁୁଲିସ ଉପରେ ଚଡ଼କ ପଡ଼ିଛି। ଗୁରୁଗ୍ରାମ୍‌ ପୁଲିସ କୌଣସି ଚାପରେ ପଡ଼ି ଏମିତି ମିଥ୍ୟା ଚାଲ୍‌ ଖେଳିଥିବା ଅଭିଯୋଗ ହୋଇଛି। ସିବିଆଇ ସୁତ୍ରରୁ ପ୍ରକାଶ ଯେ ହତ୍ୟାକାଣ୍ଡ ଘଟିବାର କିଛିଦିନ ପରେ ଫରେନ୍‌ସିକ୍‌ ଦଳ ପ୍ରଦ୍ୟୁମ୍ନକୁ ଯେଉଁ ଟଏଲେଟରେ ହତ୍ୟା କରାଯାଇଥିଲା ସେହି ଟଏଲେଟ୍‌ରୁ ଏକ ଛୁରି ଉଦ୍ଧାର କରିଥିଲେ। ସେହି ଛୁରିରେ ହିଁ ଅଭିଯୁକ୍ତ ଛାତ୍ର ଜଣକ ପ୍ରଦ୍ୟୁମ୍ନକୁ ହତ୍ୟା କରିଥିଲା। କିନ୍ତୁ ଗୁରୁଗ୍ରାମ ପୁଲିସ ତଦନ୍ତ ପ୍ରକ୍ରିୟାରେ ଯେଉଁ ଛୁରିରେ ବସ୍‌ କଣ୍ଡକ୍ଟର ହତ୍ୟା କରିଥିବା କହିଥିଲେ ତାହା ଅଲଗା ଛୁରିି ଥିଲା। ଏବେ ବଡ଼ କାଣ୍ଡ ଘଟାଇବା ପରେ ମଧ୍ୟ ଅଭିଯୁକ୍ତ ଛାତ୍ରର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନଥିଲା କି ସେ ଆଦୌ ପଶ୍ଚାତାପ ମଧ୍ୟ କରି ନଥିଲା ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି।

 

ସମ୍ବନ୍ଧିତ ଖବର