ନୂଆଦିଲ୍ଲୀ: ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ​​ମହାଯୁତିକୁ ମିଳିଥିବା ପରାଜୟର କାରଣ ପଛରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ମୁଖପତ୍ରରେ ଅଜିତ ପାୱାରଙ୍କୁ ଦୋଷ ଦିଆଯାଇଥିଲା | ଆଉ ଏହାକୁ ନେଇ ଏବେ ଏନସିପି ଖପ୍ପା ହୋଇଛି | ଅଜିତ ପାୱାରଙ୍କ ଦଳର ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ପ୍ରତିଦିନ ସକାଳେ କେହି ତୂରୀ ବଜାଇବେ ଏବଂ ଆମେ ଏହାର ଜବାବ ଦେବୁ କି? ଯଦି ଆରଏସଏସ ମୁଖ୍ୟ କିଛି କୁହନ୍ତି, ଏହାର ଅର୍ଥ ନୁହେଁ ଯେ ତାଙ୍କ ଅନୁଯାୟୀ ସବୁକିଛି କାମ କରିବ। ପ୍ରଫୁଲ୍ଲ ପଟେଲ କହିଛନ୍ତି, “ଆମେ ଆମର ବନ୍ଧୁତ୍ୱପୂର୍ଣ୍ଣ ପାର୍ଟିକୁ ଏ ବିଷୟରେ ଜଣାଇଛୁ। ଅସନ୍ତୋଷର ସମସ୍ତ ରିପୋର୍ଟ ଭୁଲ । ''

Advertisment

ବିରୋଧୀ ଦଳ ଏମ୍ଭିଏରେ ମତଭେଦ ଖବର ଉପରେ ପ୍ରଫୁଲ୍ଲ ପଟେଲ କହିଛନ୍ତି, 'ଏମ୍ଭିଏରେ କେତେ ମତଭେଦ ଅଛି ତାହା ଆପଣ ଦେଖିବେ। କିଛି ସଫଳତା ମିଳିଗଲେ, ସବୁ ମିଳିଯାଏ ବୋଲି ଭାବିବା ଠିକ ନୁହେଁ | ବିଧାନସଭାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ହେବ | ସୂଚନା ଥାଉ କି ଯେ ଲୋକସଭା ନିର୍ବାଚନରେ ​​ମହାଯୁତି ୪୮ଟି ଆସନରୁ ୧୭ଟି ଜିତିଥିଲେ । ବିଜେପି ୯, ଶିବସେନା ସାତ ଏବଂ ଏନସିପି ଗୋଟିଏ ଆସନ ପାଇଥିଲା । ଏନସିପି ଏବଂ ଶିବସେନା ମଧ୍ୟରେ ବିଭାଜନ ପରେ ଏହା ପ୍ରଥମ ପ୍ରମୁଖ ନିର୍ବାଚନ ଥିଲା ଏବଂ ମିଳିତ ମଞ୍ଚର ପ୍ରଦର୍ଶନ ଆଶା ଅନୁଯାୟୀ ନଥିଲା। ଏଭଳି ପରିସ୍ଥିତିରେ ଏହାର ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି।