ପ୍ରଜ୍ଞା ସିଂ ଠାକୁର ନିଖୋଜ ନାହାନ୍ତି, ହସ୍ପିଟାଲ୍‌ରେ ଅଛନ୍ତି: ବିଜେପି

ଭୋପାଳ: ଭୋପାଳ ଲୋକସଭା ସଦସ୍ୟା ପ୍ରଜ୍ଞା ସିଂ ଠାକୁର ଏବେ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବୋଲି ମଧ୍ୟ ପ୍ରଦେଶ ଭାରତୀୟ ଜନତା ପାର୍ଟି ପକ୍ଷରୁ କହାଯାଇଛି। ସୂଚନାଯୋଗ୍ୟ, ଦୀର୍ଘ ମାସ ଧରି ସାଂସଦ ପ୍ରଜ୍ଞା ସିଂଠାକୁର ନିଜ ନିର୍ବାଚନମଣ୍ଡଳୀରେ ଦେଖାଯାଉ ନଥିବାରୁ ନିର୍ବାଚନମଣ୍ଡଳୀବାସୀଙ୍କ ପକ୍ଷରୁ ତାଙ୍କର ନିଖୋଜ ପୋଷ୍ଟରମାନ ଲଗାଯାଇଛି। ସାଂସଦ ନିଖୋଜ ହୋଇଯାଇଛନ୍ତି ବୋଲି ଭୋପାଳ ଲୋକସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବାର ଦେଖି ବିଜେପି ପକ୍ଷରୁ ଏଭଳି ସଫେଇ ଦିଆଯାଇଛି। ସାଂସଦ ପ୍ରଜ୍ଞା ସିଂଠାକୁର ନିଖୋଜ ନାହାନ୍ତି ବରଂ ସେ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବୋଲି ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

ମଧ୍ୟପ୍ରଦେଶରେ ବିଶେଷକରି ଭୋପାଳରେ କୋଭିଡ-୧୯ ମହାମାରୀ ସମୟରେ ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ଏଭଳି ନିରବତାକୁ ବିରୋଧୀ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ନିଜ ନିର୍ବାଚିତ ପ୍ରତିନିଧିଙ୍କ ବିଷୟରେ ଜାଣିବାକୁ ଜନସାଧାଣଙ୍କର ଅଧିକାର ଅଛି ବୋଲି କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ପ୍ରଜ୍ଞା ସିଂଠାକୁର ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କୁ ୩ ଲକ୍ଷ ୬୦ ହଜାର ଭୋଟରେ ପରାଜିତ କରିଥିଲେ। ଏଭଳି ବିପୁଳ ବିଜୟ ହାସଲ କରିବା ପରେ ସାଂସଦ କାହିଁକି ଲୋକମାନଙ୍କ ସମସ୍ୟା ବୁଝିବାକୁ ଅରାଜି ହେଉଛନ୍ତି ବୋଲି ବିଧାୟକ ପିସି ଶର୍ମା ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, ସାଂସଦ ପ୍ରଜ୍ଞା ସିଂଠାକୁର କର୍କଟ ପୀଡ଼ିତ ହୋଇ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବୋଲି ବିଜେପି ମୁଖପାତ୍ର ରାହୁଲ କୋଠାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର