ନୂଆଦିଲ୍ଲୀ : ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଗତ ବୁଧବାର ଦିନ ସଂସଦରେ ଦେଇଥିବା ଗଡ଼ସେ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଥରେ ନୁହେଁ, ପ୍ରଜ୍ଞା ଆଜି ଲୋକସଭାରେ ଦୁଇଥର କ୍ଷମା ମାଗିଛନ୍ତି। ଆଜି ସାଧ୍ବୀ ପ୍ରଥମେ ଲୋକସଭାରେ କ୍ଷମା ମାଗି କହିଥିଲେ ଯେ, ଯଦି ତାଙ୍କ ଟିପ୍ପଣୀ କାହାକୁ କଷ୍ଟ ଦେଇଛି ତେବେ ସେ ଏଥିପାଇଁ ପଶ୍ଚାତାପ କରୁଛନ୍ତି ଏବଂ କ୍ଷମା ପ୍ରାର୍ଥନା କରୁଛନ୍ତି। ପ୍ରଜ୍ଞା କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଦେଶ ପ୍ରତି ଥିବା ଅବଦାନକୁ ସେ ସମ୍ମାନ କରୁଛନ୍ତି। ତେବେ ଲୋକସଭାରେ ତାଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି ବୋଲି ସେ କହିଥିଲେ। ପ୍ରଜ୍ଞାଙ୍କ କ୍ଷମା ପ୍ରାର୍ଥନା ପରେ ବିରୋଧୀ ଦଳ ନେତାମାନେ ତୀବ୍ର ପ୍ରତିବାଦ କରି କ୍ଷମା ପ୍ରାର୍ଥନା ଶୈଳୀକୁ ବିରୋଧ କରିଥିଲେ। ପ୍ରଜ୍ଞା ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ। ବିଶେଷ କରି କଂଗ୍ରେସ ଏହି ପ୍ରସଙ୍ଗରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲା। ପ୍ରଜ୍ଞା ଆଜି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନନେଇ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ରାହୁଲ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହି ଟ୍ବିଟ୍ କରିଥିବାରୁ ଏହାକୁ ବିଜେପି ମଧ୍ୟ ଜୋର୍ଦାର ବିରୋଧ କରିଥିଲା। ପ୍ରଜ୍ଞା କହିଛନ୍ତି ରାହୁଲ ଗାନ୍ଧୀ ମତେ ଆତଙ୍କବାଦୀ କହି ମୋ ସମ୍ମାନ ଉପରେ ଆକ୍ରମଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ଗତକାଲି ଏକ ଟ୍ବିଟ୍ କରି ସାଧ୍ବୀଙ୍କୁ ଆତଙ୍କବାଦୀ କହିଥିଲେ। ବିଜେପି ଆଜି ଗୃହରେ ରାହୁଲଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବା ପାଇଁ ଦାବି ଉଠାଇଥିଲା। ରାହୁଲ ଏ ବାବଦରେ କହିଛନ୍ତି ଯେ ମୁଁ ଯାହା କହିଛି ଠିକ୍ କହିଛି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ।
ଆଜି ମଧ୍ୟାହ୍ନ ଭୋଜନ ପରେ ଲୋକସଭା କାର୍ଯ୍ୟ ଆରମ୍ଭ ବେଳେ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ପୁଣିଥରେ ଗୃହରେ କ୍ଷମା ମାଗିଥିଲେ। ବିଜେପି ଦ୍ବାରା ପ୍ରଜ୍ଞାଙ୍କୁ ପୁଣିଥରେ କ୍ଷମା ମାଗିବା ପାଇଁ କୁହାଯିବା ପରେ ସେ କ୍ଷମା ମାଗିଥିଲେ। ସେ କହିଥିଲେ ମୁଁ ନାଥୁରାମ ଗଡ଼ସେଙ୍କୁ ‘ଦେଶଭକ୍ତ’ କହିନାହିଁ। ମୁଁ ମଧ୍ୟ ତାଙ୍କ ନାମ ନେଇନାହିଁ। ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଥାଏ ତେବେ ମୁଁ ପୁଣିଥରେ କ୍ଷମା ମାଗୁଛି ବୋଲି ପ୍ରଜ୍ଞା କହିଥିଲେ। ବାଚସ୍ପତି ଓମ୍ ବିର୍ଲା ଆଜି ଏହି ପ୍ରସଙ୍ଗର ରାଜନୀତିକରଣ ନ କରିବାପାଇଁ ବିରୋଧୀ ଦଳ ନେତାମାନଙ୍କୁ ଅନୁରୋଧ କରିଥିଲେ ଏବଂ ଗୃହରେ ଶୃଙ୍ଖଳା ବଜାୟ ରଖିବାପାଇଁ କହିଥିଲେ।