ନୂଆଦିଲ୍ଲୀ: ଲାଣ୍ଡର୍‌ ‘ବିକ୍ରମ’ର ରାମ୍ପ୍‌ ବାଟେ ବାହାରକୁ ଆସି ରୋଭର୍‌ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।

Advertisment

‘ଏକ୍ସ୍‌’ (ଟୁଇଟ୍‌) କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି: ଚନ୍ଦ୍ର ପାଇଁ, ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍‌ ଲ୍ୟାଣ୍ଡର୍‌ରୁ ଗଡ଼ି ଗଡ଼ି ବାହାରକୁ ଯାଇଛି। ଭାରତ ଚନ୍ଦ୍ର ଉପରେ ଚାଲବୁଲ କରୁଛି!

ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। ଖୁବ୍‌ ଶୀଘ୍ର ବାକି ସଦ୍ୟ ସୂଚନା ପ୍ରଦାନ କରାଯିବ।

ଗତ ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠ ଅବତରଣ ସମୟରେ ସେ ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ିଥିଲା। ଧୂଳି ଚନ୍ଦ୍ରପୃଷ୍ଠରେ ବସିଯିବା ପରେ ଲାଣ୍ଡର୍‌ ବିକ୍ରମର ଅଭ୍ୟନ୍ତରରେ ବା ପେଟ ଭିତରେ ସୁରକ୍ଷିତ ଥିବା ରୋଭର୍‌ ପ୍ରଜ୍ଞାନ ଚଳପ୍ରଚଳ ଆରମ୍ଭ କରି ସେଥିରୁ ପଦାକୁ ବାହାରି ଆସିଲା।

publive-image Image Courtesy of Asianet Newsable

ବିକ୍ରମରୁ ପ୍ରଜ୍ଞାନ ବାହାରକୁ ଆସୁଥିବାର ଦୃଶ୍ୟ ଥିବା ପ୍ରଥମ ଫଟୋ ସେୟାର୍‌ କରିଥିଲେ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ସ୍ପେସ୍‌ ପ୍ରମୋସନ୍‌ ଆଣ୍ଡ୍‌ ଅଥରାଇଜେସନ୍‌ ସେଣ୍ଟର୍‌’ର ଅଧ୍ୟକ୍ଷ ପବନ ଗୋଏଙ୍କା।

ଉଲ୍ଲେଖଯୋଗ୍ୟ, ଲାଣ୍ଡର୍‌ ବିକ୍ରମ ଓ ରୋଭର୍‌ ପ୍ରଜ୍ଞାନଙ୍କର ଅଭିଯାନ ୧୪ ଦିନ ପର୍ଯ୍ୟନ୍ତ ଚାଲିବ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିବ। ୧୪ ଦିନ ପରେ ଲାଣ୍ଡର୍‌ ଓ ରୋଭର୍‌ ଶକ୍ତି ହରାଇବାର ସମ୍ଭାବନା ରହିଛି। ଏହି ୧୪ ଦିନରେ ରୋଭର୍‌ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେତେଗୁଡ଼ିଏ ପରୀକ୍ଷାନିରୀକ୍ଷା କରି ସେ ସଂକ୍ରାନ୍ତ ତଥ୍ୟାବଳି ଲାଣ୍ଡର୍‌କୁ ପଠାଇବ।