ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ଭାରତୀୟ ଭାବରେ ଆମର ସାମୂହିକ ପରିଚୟର ଏକ ସର୍ବୋଚ୍ଚ ଭିତ୍ତିଭୂମି ଆମ ସମ୍ବିଧାନ ପ୍ରଦାନ କରିଥାଏ। ଏହା ଆମକୁ ଏକ ପରିବାର ଭାବରେ ଏକାଠି କରିଥାଏ। ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରା ସର୍ବଦା ଭାରତୀୟ ସଭ୍ୟତା ଓ ଐତିହ୍ୟର ଏକ ଅଂଶ ହୋଇ ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସମ୍ବିଧାନ ଏବେ ଜୀବନ୍ତ ଦସ୍ତାବିଜ ପାଲଟିଛି କାରଣ ଆମ ନାଗରିକଙ୍କ ସଦ୍ଗୁଣଗୁଡ଼ିକ ହଜାର ହଜାର ବର୍ଷ ଧରି ଆମର ନୈତିକ ସଂସ୍କୃତିର ଅଂଶ ହୋଇଛି। ବିଗତ ୭୫ ବର୍ଷ ମଧ୍ୟରେ ସମ୍ବିଧାନ ଆମ ପ୍ରଗତିର ମାର୍ଗ ପ୍ରଶସ୍ତ କରିଛି। ଆଜି ଆମେ ସମ୍ବିଧାନ ଚିଠା କମିଟିର ଅଧ୍ୟକ୍ଷ ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଅନ୍ୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଉଛୁ, ଯେଉଁମାନଙ୍କ ପ୍ରୟାସ ଆମକୁ ସମ୍ବିଧାନ ଦେଇଛି। ସମ୍ବିଧାନ କାର୍ଯ୍ୟକାରୀ ହେବାର ଏହି ୭୫ ବର୍ଷ ଆମବର୍ଗ ଯୁବ ଗଣତନ୍ତ୍ରର ସର୍ବାଙ୍ଗୀନ ପ୍ରଗତିର ସାଥୀ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାର ବିକାଶ ଓ କଲ୍ୟାଣର ଧାରଣାକୁ ପୁନଃବ୍ୟାଖ୍ୟା କରିଛନ୍ତି ଏବଂ ମୌଳିକ ଆବଶ୍ୟକତାକୁ ଅଧିକାରର ବିଷୟ କରି ନାଗରିକଙ୍କୁ ଉପକୃତ କରୁଛନ୍ତି ବୋଲି ସେ କହିଛନ୍ତି।
ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍କୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଏଭଳି ବଡ଼ ଧରଣର ସଂସ୍କାର ପାଇଁ ଦୂରଦୃଷ୍ଟି ଓ ସାହସର ଆବଶ୍ୟକତା ରହିଛି। ଏହି ବିଲ୍ ସୁଶାସନର ସର୍ତ୍ତାବଳୀକୁ ପୁନଃନିର୍ଦ୍ଧାରଣ କରିବାକୁ ପ୍ରତିଶ୍ରୁତି ଦେଉଛି। ଦେଶରେ ନିର୍ବାଚନ କାର୍ଯ୍ୟସୂଚୀକୁ ସମନ୍ୱିତ କରିବା ପାଇଁ ଏହି ବିଲ୍ ସଂସଦରେ ଆଗତ ହୋଇଛି। ଏକ ରାଷ୍ଟ୍ର, ଏକ ନିର୍ବାଚନ ଯୋଜନା ଶାସନରେ ନିରନ୍ତରତାକୁ ପ୍ରୋତ୍ସାହିତ କରିପାରିବ, ନୀତିଗତ ଅଚଳାବସ୍ଥାକୁ ରୋକିପାରିବ ଏବଂ ଆର୍ଥିକ ବୋଝକୁ ହ୍ରାସ କରିବା ସହିତ ଅନ୍ୟାନ୍ୟ ଅନେକ ସୁବିଧା ପ୍ରଦାନ କରିପାରିବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।
ଏବେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ଆମ ଐତିହ୍ୟ ଓ ସମୃଦ୍ଧିର ଏକ ଅଭିବ୍ୟକ୍ତି ଭାବରେ ଦେଖାଯାଇପାରେ ବୋଲି ରାଷ୍ଟ୍ରପତି କହିଛନ୍ତି। ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି। ଭାଷାର ସଂରକ୍ଷଣ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି, ସରକାର ଆସାମୀ, ବଙ୍ଗଳା, ମରାଠୀ, ପାଲି ଓ ପ୍ରକୃତକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦେଇଛନ୍ତି। ଏହି ବର୍ଗରେ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲୟାଲମ୍ ଏବଂ ଓଡ଼ିଆ ଅନ୍ତର୍ଭୁକ୍ତ। ସରକାର ଏବେ ୧୧ଟି ଶାସ୍ତ୍ରୀୟ ଭାଷାରେ ଗବେଷଣାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଗତ ଦଶନ୍ଧିରେ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି ରାଷ୍ଟ୍ରପତି ତାଙ୍କ ଉଦ୍ବୋଧନରେ କହିଛନ୍ତି।
ନୂଆ ଆପରାଧିକ ଆଇନକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ‘୧୯୪୭ରେ ଆମେ ସ୍ୱାଧୀନତା ପାଇଥିଲୁ, କିନ୍ତୁ ଔପନିବେଶିକ ମାନସିକତାର ଅନେକ ଅବଶେଷ ଆମ ଭିତରେ ଦୀର୍ଘ କାଳ ଧରି ରହିଥିଲା। ନିକଟ ଅତୀତରେ ଆମେ ସେହି ମାନସିକତାକୁ ବଦଳାଇବା ପାଇଁ ମିଳିତ ପ୍ରୟାସ ଦେଖୁଛୁ। ଭାରତୀୟ ଦଣ୍ଡବିଧି, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ଏ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ’ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତୀୟ ନ୍ୟାୟଶାସ୍ତ୍ର ପରମ୍ପରା ଆଧାରରେ ନୂତନ ଆପରାଧିକ ଆଇନ ଦଣ୍ଡ ପରିବର୍ତ୍ତେ ନ୍ୟାୟ ପ୍ରଦାନକୁ ଆପରାଧିକ ନ୍ୟାୟ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ରଖିଛି। ଏହାବ୍ୟତୀତ ନୂଆ ଆଇନରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ମୁକାବିଲାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।